କବି ରାଜେନ୍ଦ୍ର ପଣ୍ଡାଙ୍କ ସ୍ମୃତିରେ ସୋର ସମ୍ବାଦ ସାହିତ୍ୟଘର କବିତାପାଠୋତ୍ସବ ।
ସୋର,(ଭଞ୍ଜଦୂତ, ନିପ୍ର, ଜ୍ୟୋତି ପ୍ରକାଶ) :: ଦିବାଙ୍ଗତ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସ୍ମୃତିରେ ଏକ କବିତାପାଠ ଉତ୍ସବ ଆଜି ପୂର୍ବାହ୍ନରେ ସୋର ସଂସ୍କୃତି ଭବନଠାରେ ସୋର ସମ୍ବାଦ ସାହିତ୍ୟଘର ତରଫରୁ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଗାଳ୍ପିକ ରଜନୀକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କବିତାପାଠରେ ଗାଁ ମଜଲିସ୍ ସାହିତ୍ୟ ସଂସଦର ସଂପାଦକ ଦେବେନ୍ଦ୍ର କୁମାର ପ୍ରଧାନ କବିତାଗୁଡ଼ିକୁ ସଂଯୋଜନା କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ କବି ନିତ୍ୟାନନ୍ଦ ପାଣିଗ୍ରାହୀ ଯୋଗଦେଇ ଅଧୁନିକ କବିତାର ସ୍ୱର ସଂପର୍କରେ ବକ୍ତବ୍ୟ ରଖିଥିଲେ। ସୋର ସମ୍ବାଦ ସାହିତ୍ୟଘରର ସଂପାଦକ କବି ରବୀନ୍ଦ୍ର କୁମାର ଦାସ ଏହି କବିତାପାଠର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। କବି ସୁରେନ୍ଦ୍ର ନାଥ ବାରିକ୍, ଜ୍ୟୋତ୍ସ୍ନାରାଣୀ ଜେନା, ମହେଶ୍ୱର ପଣ୍ଡା, ମହେନ୍ଦ୍ର ପ୍ରସାଦ ସାହୁ, ଅଂଜନ ଦାସ, ହେମନ୍ତ ବାରିକ ପ୍ରମୁଖ କବିତାପାଠ କରିଥିଲେ। ସଭାପତି ଶ୍ରୀ ମହାନ୍ତି ଦିବଂଗତ ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କର ଏକ କବିତା ପାଠ କରିବା ସହିତ ତାଙ୍କ କବିତାର ଦିଗ୍ଦର୍ଶନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଚନ୍ଦ୍ରମୋହନ ମାହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୋର ସମ୍ବାଦ ପ୍ରତିନିଧି ଅଭୟ କୁମାର ପତ୍ରୀ ପରିଚାଳନା କରିଥିଲେ।
