ଭଞ୍ଜନଗର ଠାକୁରାଣୀ ଯାତ୍ରାର ଆୟବ୍ୟୟ ସମୀକ୍ଷା ବୈଠକ ଅନୁଷ୍ଠିତ।
ଭଞ୍ଜନଗର : ୦୧/୦୭ (ପ୍ରଫୁଲ୍ଲ କୁମାର ମହାରଣା ) ସ୍ଥାନୀୟ ଠାକୁରାଣୀ ମନ୍ଦିର ପରିସରରେ ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ ଆଲୋଚନା ପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ବୈଠକ ବସିଥିଲା। ବୈଠକରେ ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଷୋୟୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ଯାତ୍ରା କମିଟି ମୁଖ୍ୟ ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ଭଞ୍ଜନଗର ଠାକୁରାଣୀ ମନ୍ଦିର ଓ କୁଲାଡ଼ ବ୍ୟାଘ୍ର ଦେବୀ ମନ୍ଦିରର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯିବ ବୋଲି କହିଥିଲେ। ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଯାତ୍ରାକୁ ସଫଳ କରିବାରେ ସମସ୍ତେ ସହଯୋଗ କରିଥିବା ଯୋଗୁଁ ଧନ୍ୟବାଦ ଜଣାଇଥିଲେ। ଏଥିସହ ମ୍ୟୁନିସିପାଲଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ, ଉପସଭାପତି ମୂରଲୀଧର ପଣ୍ଡା, ସମ୍ପାଦକ ସୁଶାନ୍ତ ମହାପାତ୍ର, ସୁଧୀର ରଞ୍ଜନ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ଯାତ୍ରା ପାଇଁ ବିଭିନ୍ନ ଆଡୁ ୧ କୋଟି ୪୭ ଲକ୍ଷ ୨୯୨୬୦ ଟଙ୍କା ଆଦାୟ ହୋଇଥିଲା। ଖର୍ଚ୍ଚ ହୋଇଥିଲା ୧ କୋଟି ୨୪ ଲକ୍ଷ ୬୬ ହଜାର ୯୧ ଟଙ୍କା। ବଳକା ରହିଥିଲା ୨୩ ଲକ୍ଷ ୩୧ ହଜାର ୩୨୫ ଟଙ୍କା । ପୂର୍ବରୁ ୨୨ ଲକ୍ଷ ଟଙ୍କା ବଳକା ଥିଲା। ଆଜି ସୁଦ୍ଧା ମୋଟ ୫୧ ଲକ୍ଷ ୭୩ ହଜାର ୫୯୯ ଟଙ୍କା ଯାତ୍ରା ଆକାଉଣ୍ଟ ରେ ଗଚ୍ଛିତ ଅଛି। ସାଧାରଣ ସଫେଇ କର୍ମଚାରୀ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର କର୍ମଚାରୀ ମାନେ ଯାତ୍ରାରେ ସହଯୋଗ କରିଥିଲେ। ତେଣୁ ଏହିପରି କର୍ମବୀରମାନଙ୍କୁ ଉପଢୌକନ ଦେଇ ବିଧାୟକ ସମ୍ବର୍ଦ୍ଧନା କରିଥିଲେ। ସେହିପରି କିଛି ପ୍ରତିଷ୍ଠିତ ସମ୍ବାଦିକ ମାନଙ୍କୁ ଯାତ୍ରା କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯାହାଦ୍ୱାରା ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରକାଶଥାଉକି ଯାତ୍ରା ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଯାତ୍ରା କମିଟି ସାମ୍ବାଦିକମାନଙ୍କ ପ୍ରତି ଅବହେଳା କରିଆସୁଛି। ଏମିତିକି ନିମନ୍ତ୍ରଣ ପତ୍ରଟିଏ ମଧ୍ୟ ଦେବାକୁ ଯାତ୍ରା କମିଟି ଭୁଲିଯାଇଛି। ଏହିପରି ବାରମ୍ବାର ସାମ୍ବାଦିକମାନଙ୍କ ପ୍ରତି ଅବହେଳା କରୁଥିବା ଯୋଗୁଁ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
