ମୃତ ପଶୁ ଶରୀର ନଷ୍ଟ ପାଇଁ ବୈଦ୍ୟୁତିକ ଦହନ ଯନ୍ତ୍ର ପାଇଁ ଦାବି
ବ୍ରହ୍ମପୁର, ଦିର୍ଘ ବର୍ଷରୁ ବ୍ରହ୍ମପୁର ପଶୁ ଚିକିତ୍ସାଳୟ ପରିସରରେ ହିଁ ସେଠାରେ ଚିକିତ୍ସିତ ଅବସ୍ଥାରେ ମରିଯାଉଥିବା ପଶୁଙ୍କ ଶରୀର ଗୁଡିକୁ ପୋତି ପକାଉଥିବାରୁ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚର କର୍ମକର୍ତ୍ତା ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ମେଡ଼ିକାଲ ପରିସରରେ ପଡ଼ିଥିବା ମାଟି, ବାଲି ଅତ୍ୟଧିକ ମାତ୍ରାରେ ପ୍ରଦୂଷିତ ହୋଇପଡ଼ିଥିବା ଅଭିଯୋଗ କରିଛନ୍ତି ମଞ୍ଚର ସମ୍ପାଦକ ମନୋଜ ତରାଇ ଓ ଅନ୍ୟମାନେ l ସୁଚନା ଯୋଗ୍ୟ ଯେ, ଯେଉଁ ପଶୁ ଗୁଡ଼ିକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରନ୍ତି ସେମାନଙ୍କ ମର ଶରୀରକୁ ପୋତିବା ପାଇଁ କୌଣସି ଏକ ନିର୍ଦ୍ଧିଷ୍ଟ ସ୍ଥାନ ସରକାରଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ ସ୍ଥିର କରାଯାଇପାରିଲା ନାହିଁ, ଏଥି ସମ୍ବନ୍ଧରେ ମଞ୍ଚ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ବ୍ରହ୍ମପୁର ମହାନଗର ନିଗମ କତୃପକ୍ଷ ଏକ ସ୍ବତନ୍ତ୍ର ଜାଗା ଏଥିପାଇଁ ଦେବାକୁ ଦାବୀ ହେଉଛି l ଗୁରୁତ୍ଵପୁର୍ଣ୍ଣ ପ୍ରସଙ୍ଗ ହେଲା ଯେ, ସେଠାରେ ପଡ଼ିଥିବା ମାଟି ଓ ବାଲି ବହୁଳ ମାତ୍ରରେ ପ୍ରଦୂଷିତ ହୋଇ ଅନ୍ୟ ଜୀବ ଜନ୍ତୁଙ୍କୁ ସଂକ୍ରମଣ ବ୍ୟାପୁଛି ଓ ଅକାଳ ମୃତ୍ୟୁର କାରଣ ହୋଇଛି l ଆଜି ଦୀର୍ଘ ୩୬ ଘଣ୍ଟା ପରେ ଦୁର୍ଘଟଣାଗ୍ରସ୍ତ ଗାଇ ଗୁଡିକ ପଚି ସଡି ପୋକ ଲାଗିଲା ପରେ ମହାନଗର ନିଗମ ପକ୍ଷରୁ ପଶୁ ଚିକିତ୍ସାଳୟ ପରିସରରେ ହିଁ ପୋତିଦିଆଯାଇଥିଲା, ଯାହାକୁ ନେଇ ପଶୁ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ବର୍ତ୍ତମାନ ଯେଉଁଠି ପଶୁ ଜନ୍ତୁଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି, ସେଠାକାର ମାଟି,ବାଲି ନିୟମିତ ଭାବେ ପରିବର୍ତ୍ତନ କରାଯାଉ ଓ ମର ଶରୀରକୁ ପୋତିବା ଅପେକ୍ଷା ବୈଦ୍ୟୁତିକ ଇନ୍ସିନେରଟର ମେସିନ୍ ମାଧ୍ୟମରେ ଦହନ କରାଯିବାକୁ ମଞ୍ଚ ସମ୍ପାଦକ ମନୋଜ ତରାଇ ଓ ଯୁବ ସ୍ଵେଚ୍ଛାସେବୀ ନିହାର ରଞ୍ଜନ ପଣ୍ଡା ଦାବୀ କରିଛନ୍ତି l ମଞ୍ଚର ବି.ମଣିକାନ୍ତ, ଶ୍ରୀକାନ୍ତ ପାଳ, ଅଜୟ କୁମାର ପାଣିଗ୍ରାହି, ଆର୍.ଶିବ ପ୍ରସାଦ ପ୍ରମୂଖ ମଂଚ କର୍ମକର୍ତ୍ତାମାନେ ଆଜି ସହଯୋଗ କରିଛନ୍ତି l
