୧୪ରେ କମ୍ୟୁନିଷ୍ଟ ନେତା ରଘୁନାଥ ପଣ୍ଡାଙ୍କ ସ୍ମରଣ ସଭା
ବ୍ରହ୍ମପୁର, ବିଶିଷ୍ଟ ଚାଷୀ ନେତା, କମ୍ୟୁନିଷ୍ଟ ନେତା ତଥା ସ୍ବାଧୀନତା ସଂଗ୍ରାମୀ କବିରାଜ ରଘୁନାଥ ପଣ୍ଡାଙ୍କ ତିରୋଧାନ ଦିବସରେ ଆସନ୍ତା ୧୪ ତାରିଖରେ ସ୍ମରଣ ସଭା ଆୟୋଜିତ ହେବ ବୋଲି ଆଜି ରଘୁନାଥ ପଣ୍ଡା ସ୍ମୃତି କମିଟି ପକ୍ଷରୁ ମତ ପ୍ରକାଶ ପାଇଛି l କମିଟି ପକ୍ଷରୁ ଆଜି ଏକ ଜରୁରୀ ବୈଠକରେ କମ୍ୟୁନିଷ୍ଟ ନେତା ରଘୁନାଥ ପଣ୍ଡାଙ୍କ ଜୀବନୀ ଆଲୋଚନା ପରିପ୍ରେକ୍ଷୀରେ ତାଙ୍କ ତିରୋଧାନ ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଛି l ସେ ମୁଖ୍ୟତଃ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜଣେ ସକ୍ରିୟ କର୍ମୀ ହେବାସହ ଜଣେ ଉତ୍ତମ ଆୟୁର୍ବେଦ ଚିକିତ୍ସକ, ଗୁଣ୍ଠପଡା ହାଇସ୍କୁଲ୍ ର ପ୍ରତିଷ୍ଠାତା, ଗୁଣ୍ଠପଡ଼ା ପଞ୍ଚାୟତର ପୁର୍ବତନ ସରପଞ୍ଚ ତଥା ବ୍ରିଟିଶ ବିରୋଧରେ ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ସ୍ଥାନୀୟ ଗିରିରୋଡ ସ୍ଥିତ ପାଢ଼ୀ ସେଲିବ୍ରେଶନ ସଭା କକ୍ଷରେ ଅକ୍ଟୋବର ୧୪ ତାରିଖ ପୂର୍ବାହ୍ନ ୧୦ଘଣ୍ଟାରେ ତାଙ୍କ ଉଦ୍ଧେଶ୍ୟରେ ସ୍ମରଣ ସଭା ଆୟୋଜିତ ହେବ ବୋଲି ସ୍ମୃତି କମିଟିର ସଭାପତି ସୁରେନ୍ଦ୍ର ନାଥ ପଣ୍ଡା ମତବ୍ୟକ୍ତ କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ଅଲ୍ ଇଣ୍ଡିଆ ଖେତ ମଜଦୂର କିଶାନ ସଭା ର ଜିଲ୍ଲା ସଭାପତି ଆଇନଜୀବି ଅବନୀ ଗୟା, ଶିକ୍ଷକ ସଙ୍ଗଠନ ନେତା ବିଜୟ ଚନ୍ଦ୍ର ବିଷୋୟୀ, ମାନବ ଅଧିକାର ସୁରକ୍ଷା ମଞ୍ଚ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ l ସମସ୍ତ ଗଣତନ୍ତ୍ରପ୍ରେମୀ, ସାମାଜିକକର୍ମୀ ସ୍ମୃତି ଚାରଣରେ ଅଂଶ ଗ୍ରହଣ କରିବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି l
