ଡେଲାଙ୍ଗରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି
୧୪୧ ଅଭିଯୋଗ ପଞ୍ଜିକୃତ,
ରାସ୍ତା ଓ ରେସନ କାର୍ଡ ସମେତ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ
ଡେଲାଙ୍ଗ,-: ଡେଲାଙ୍ଗ ବ୍ଲକ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂହ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅକ୍ଷୟ କୁମାର ଶତପଥି, ଉପ ଜିଲାପାଳ ରାଜକିଶୋର ଜେନା, ଅତିରିକ୍ତ ଜିଲାପାଳ ଶରତଚନ୍ଦ୍ର ବେହେରା, ସହକାରୀ ଜିଲାପାଳ ପଞ୍ଚାନନ ପରିଜା, ମନୀଷା ଷଡଙ୍ଗୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସଚିନ ପଟେଲ, ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବାଶିଷ ମିଶ୍ର, ଡେଲାଙ୍ଗ ତହସିଲଦାର ଦେବୀପ୍ରସାଦ ଆଚାର୍ଯ୍ୟ, ବ୍ଲକ ଉନ୍ନୟନ ଅଧିକାରୀ କ୍ଷିତିଶ ବେହେରା, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ ପ୍ରମୁଖଙ୍କ ସମେତ ପୁର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଖଣି, ଜଙ୍ଗଲ, ପାନୀୟ ଜଳ ଓ ପରିମଳ, ଶିକ୍ଷା,ସ୍ୱାସ୍ଥ୍ୟ, ପ୍ରାଣିଚିକିତ୍ସା, ବିଦ୍ୟୁତ, ଯୋଗାଣ ପ୍ରମୁଖ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଶିବିରରେ ୧୪୧ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ଏଥି ମଧ୍ୟରୁ ୧୦୬ଟି ବ୍ୟକ୍ତିଗତ ଓ ୩୫ଟି ସାମୁହିକ ଅଭିଯୋଗ ହୋଇଥିଲା । ତନ୍ମଧ୍ୟରୁ ତତ୍କାଳୀନ ୧୫ଟି ଅଭିଯୋଗର ସମାଧାନ କରାଯାଇଥିଲ।। ଡେଲାଙ୍ଗ ବ୍ଲକର ବିଭିନ୍ନ ଗ୍ରାମ ମାନଙ୍କରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ଯାତାୟତରେ ସମସ୍ୟା ଉପୁଜୁଛି । ଯଥାଶୀଘ୍ର ରାସ୍ତା ଗୁଡିକୁ ମରାମତି କରିବା , ଅଧାପାନ୍ତରିଆ କାମ ହୋଇ ପଡିରଥିବା ରାସ୍ତା ଗୁଡିକୁ ତୁରନ୍ତ ପୂର୍ଣ୍ଣାଙ୍ଗ କରିବା ପାଇଁ ସ୍ଥାନୀୟ ଲୋକେ ଅଭିଯୋଗ ଦେଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କ ଉପରେ ଜିଲାପାଳ ବର୍ଷିଥିଲେ ଓ ତୁରନ୍ତ ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବିଭିନ୍ନ ଗ୍ରାମରେ ଅନେକ ହିତାଧିକାରୀ ରେସନ କାର୍ଡପାଇବାରୁ ବଂଚିତ ହୋଇ ରହିଥିବା ଅଭିଯୋଗ ହୋଇଥିଲା ।ଏହା ସହିତ ରେସନ କାର୍ଡରେ ଶିଶୁମାନଙ୍କ ନାମ ଯୋଡି ହୋଇ ପରୁନଥିବା ଏବଂ ନାମଥାଇ ମଧ୍ୟ ରେସନ ମିଳୁନଥିବା ଆଦି ସମସ୍ୟା ନେଇ ଅନେକ ଅଭିଯୋଗ ହୋଇଥିଲା । ଡେଲାଙ୍ଗ ବ୍ଲକରେ ଚାଷୀଙ୍କ ଧାନଚାଷ ପାଇଁ ଆବଶ୍ୟକ ସାର ମିଳୁନଥିବା ନେଇ ଅଭିଯୋଗ ହୋଇଥିଲା । ବେରବୋଇ ସ୍ଥିତ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଆବାସ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଦ୍ୟାବଧି ଛାତ୍ରୀ ମାନଙ୍କ ରଖିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବା ବେଳେ ନୂତନ ଭାବେ ନିର୍ମାଣାଧିନ ଛାତ୍ରା ଆବାସ କାର୍ଯ୍ୟ ସମାପ୍ତ ହେବାର ନାଁ ନେଉନି । ଏହା ସହିତ ଆଦର୍ଶ ବିଦ୍ୟାଳୟରେ ନିମ୍ନମାନର ଖାଦ୍ୟ ବିତରଣ କରୁଥିବା ସଂସ୍ଥା ଉପରେ ରୋକ ଲଗାଯାଇ ବିଦ୍ୟାଳୟ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରିବାକୁ ଅଭିଭାବକ ମଣ୍ଡଳୀ ଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ଘନିପୁର ପଂଚାୟତରେ ନାଏବ ସରପଂଚଙ୍କୁ ଦାଇତ୍ୱ ଦେବାରେ ବିଳମ୍ବକୁ ନେଇ ୱାର୍ଡ ସଭ୍ୟ/ସଭ୍ୟାମାନେ ଅଭିଯୋଗ କରିଛନ୍ତି । ବେଆଇନ ପଥରଖଣି ଖନନ ଓ ମାଙ୍କଡା ପଥର ଚୋରାଚାଲାଣ ଦ୍ୱାରା ଜଙ୍ଗଲ ନଷ୍ଟ ହେଉଥିବା ନେଇ ଖନିଖନନ ଉପରେ ରୋକ ଲଗାଇବାକୁ ଅଭିଯୋଗ କରାଯାଇଥିଲା । ଇନ୍ଦିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହ ଭାଙ୍ଗି ରୁଜି ଯାଇଥିବାରୁ ଦୀର୍ଘ ୯ମାସ ହେବ କୋମଳମତୀ ଛାତ୍ରଛାତ୍ରୀମାନେ ନିକସ୍ଥ ବାତ୍ୟା ଆଶ୍ରୟସ୍ଥଳୀରେ ଅସ୍ଥାୟୀ ଭାବେ ପାଠପଢୁଛନ୍ତି ।ତୁରନ୍ତ ଜମି ଅଧିଗ୍ରହଣ କରି ନୂତନ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଅଭିଭାବକମାନେ ଶିବିରରେ ନିବେଦନ କରିଛନ୍ତି । ଭୂବନେଶ୍ୱରର ନର୍ଦ୍ଦମା ପାଣି ଗଙ୍ଗୁଆନାଳ ଦେଇ ଦୟାନଦୀରେ ପ୍ରବେଶ କରିବା ଯୋଗୁ ନଦୀ ଅବବାହିକା ଜନସାଧାରଣ ଚାଷବାସ କରିବା ଓ ନଦୀପାଣିର ବ୍ୟବହାର କରିବାରେ ସମସ୍ୟା ଉପୂଜୁଥିବା କୃଷକ ନେତା ଅଶୋକ ପ୍ରଧାନ ଶିବିରରେ ଦୃଷ୍ଟିଆକର୍ଷଣ କରିବା ସହିତ ସ୍ଥାୟୀ ସମାଧାନ ପାଇଁ ଦାବୀକରିଥିଲେ । ସେହିପରି ବାତଳ ଗ୍ରାମରେ ଜଳ ସେଚନ କରିବାର ବ୍ୟବସ୍ଥା ନଥାଇ ଜଳକର ଆଦାୟ କରିବା ନିୟମକୁ ପ୍ରତ୍ୟାହାର କରାଯିବା ସହିତ ମାଣିତ୍ରି ପାଟଣା ଗ୍ରାମର ପରିବା ଚାଷୀଙ୍କୁ କ୍ଷତିପୂରଣ ପାଇଁ ଅଭିଯୋଗ ହୋଇଥିଲା ।ଶିବିରରେ ସମସ୍ତ ଅଭିଯୋଗ ଗ୍ରହଣ କରି ବିଭାଗୀୟ ଅଧିକାରୀଙ୍କୁ ଯଥାଶୀଘ୍ର ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
