ମହିଳା ନିର୍ଯ୍ୟାତନା ବୃଦ୍ଧି ପ୍ରତିବାଦରେ ଡିଜିପିଙ୍କୁ ସ୍ମାରକ ପତ୍ର : ରାଜ୍ୟରେ ମହିଳା ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧି ପାଉଥିବାକୁ ନେଇ ବାଲେଶ୍ବର ଜିଲ୍ଲା ବିଜେଡ଼ି ତରଫରୁ ରାଜ୍ୟ ଡିଜିପିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ଦିଆଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡ଼ି ଯାଇଥିବା ବେଳେ, ପୋଲିସ ପ୍ରଶାସନର ପଦକ୍ଷେପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଆଗକୁ ପୋଲିସ ପ୍ରଶାସନ କେମିତି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏ ବାବଦରେ ଉପସ୍ଥିତ ବିଜେଡ଼ିର କାର୍ଯ୍ୟକର୍ତ୍ତା ମାନେ ପୋଲିସ ପ୍ରଶାସନ ସହ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ପୂର୍ବତନ ସଭାପତି ଇଂ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରାଜ୍ୟ ମହିଳା ବିଜେଡ଼ି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ନୀଳଗିରି ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ବାଲେଶ୍ବର ସଦର ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସଙ୍କ ସମେତ ଶତାଧିକ ମହିଳା, ତଥା ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିବା ଲକ୍ଷ୍ୟ କରାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମରେ ବି ବିଜେଡ଼ିର ଗୋଷ୍ଠୀ କନ୍ଦଳ ଭିତରେ ଏକ ବଡ଼ ଗୋଷ୍ଠୀର ଅନୁପସ୍ଥିତିକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି।।।
