ଦୁମୁକା ସମବାୟ ସମିତି ସଂପାଦକ ସାଜିଛନ୍ତି ମିଲରଙ୍କ ଦଲାଲ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଦୁମୁକା ପ୍ରାଥମିକ କୃଷି ସମବାୟ ସମିତି ଲିଃ ସଂପାଦକଙ୍କ ମନମାନି ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଚାଷୀ। ୨୦/୨୫ ଦିନରୁ ଅଧିକ ହେଲାଣି ଧାନ ଆଣି ମଣ୍ଡିରେ ଜଗିରହିଛନ୍ତି , ଟୋକନ ଅବଧି ସରିବାକୁ ବସିଲାଣି ହେଲେ ଧାନ ବିକ୍ରି କରି ନପାରି ଅସହାୟ ହୋଇ ପଡିଛନ୍ତି। ଗୋବରୀ ପାଟନାଳୀ କୂଳର ଖୋଲା ଆକାଶ ତଳେ ମଣ୍ଡି ହୋଇଥିବାରୁ ବଣୁଆ ମୂଷା ଆସି ବସ୍ତାବସ୍ତା ଧାନ ନଷ୍ଟ କରୁଥିଲେ ମଧ୍ୟ ପ୍ରଶାସନର ନଜରକୁ ନ ଆସିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।ଏମିତି କି ମଣ୍ଡିରେ ଚାଷୀମାନଙ୍କ ପାଇଁ ପାନୀୟଜଳର ବ୍ଯବସ୍ଥା ନ ଥିବାରୁ ନିକଟରେ ଥିବା ନଳକୂପ ହିଁ ଭରସା ପାଲଟିଥିବା ଦେଖିବାକୁ ମିଳିଛି।ଏମିତି କି ସମବାୟ ସମିତିର ସଂପାଦକ ଏକପ୍ରକାର ମିଲରମାନଙ୍କ ଦଲାଲ ସାଜି ନିଜ ଖର୍ଚ୍ଚରେ ଗାଡିକରି ମିଲରେ ନେଇ ଧାନ ଦେଇ ଆସିବାକୁ ଚାଷୀମାନଙ୍କୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି।
ଗତ ଶନିବାର ଦିନ ଏ ସଂପର୍କରେ ଖବରସଂଗ୍ରହ କରିବାକୁ ଆମେ ଘଟଣା ସ୍ଥଳରେ ପହଞ୍ଚି ଥିବାବେଳେ ସଂପାଦକ ମନୋଜ କୁମାର ସ୍ବାଇଁ ଓରଫ ରଘୁଙ୍କର ଦେଖା ମିଳି ନ ଥିଲା। ଧାନ ନେବାପାଇଁ ପଞ୍ଜିକୃତ ଏକ ମିଲର ଦୁଇଟି ଟ୍ରକ ଆଣି ଆସି ଅଧଘଣ୍ଟାଏ ଅପେକ୍ଷା କରିବା ପରେ ମଧ୍ୟ ସଂପାଦକ ଫୋନ୍ ଉଠାଇ ନ ଥିଲେ। ଆମ ପ୍ରତିନିଧି ଏ ନେଇ କେନ୍ଦ୍ରାପଡା ଏଆରସିଏସ ଯୋଗେନ୍ଦ୍ର ବିଶ୍ବାଳଙ୍କୁ ଯୋଗାଯୋଗ କରିବା ପରେ ସଂପାଦକ ଆସି ଧାନମଣ୍ଡିରେ ପହଞ୍ଚିଥିଲେ। କେନ୍ଦ୍ରାପଡା ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଅସାଧୁ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀ ବିଜୟ କୁମାର ରାଉତ, ସନ୍ତୋଷ ବେଉରା, ଜୟନ୍ତ କୁମାର ଦାସ, ମାନସ ରଞ୍ଜନ ଦାସ, ନନ୍ଦ ସ୍ବାଇଁ, ସୁରେନ୍ଦ୍ର ନାୟକ, ଅଧୀର ପଣ୍ଡା, ସଚ୍ଚିଦାନନ୍ଦ ଦାସ ସତ୍ଯରଞ୍ଜନ ଦାସ, ଅକ୍ଷୟ କୁମାର ସାହୁ ପ୍ରମୁଖ ଦାବି କରିଛନ୍ତି।
