ନୂଆଦିଲ୍ଲୀ (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି ସଂସ୍କାର) ର ନୂତନ ଦର ଆଇପିଏଲ ଫଟାଫଟ କ୍ରିକେଟକୁ ପ୍ରଭାବିତ କରିବ । ଏବେ ଦର୍ଶକଙ୍କ ପାଇଁ ଷ୍ଟାଡିୟମକୁ ଯାଇ ମ୍ୟାଚ ଦେଖୁବା ମହଙ୍ଗା ହେବ। ବଢିବ ଟିକେଟ ଦର। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଇପିଏଲ ଟିକଟ ଉପରେ ଜିଏସ୍ଟି ବୃଦ୍ଧି କରିବାକୁ ନିଷ୍ପତି ନିଆ ଯାଇଛି । ଏହାର ପ୍ରଭାବ ଏବେ ଆଇପିଏଲରେ ଦେଖିବାକୁ ମିଳିବ । ଆଇପିଏଲ ମ୍ୟାଚର ଟିକଟ ଉପରେ ୪୦ ପ୍ରତିଶତ ଜିଏସ୍ଟି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ୨୮ପ୍ରତିଶତ ଜିଏସ୍ଟି ଥିଲା। ଏବେ ଏହା ୪୦ ପ୍ରତିଶତ ଜିଏସ୍ଟି କୁ ବୃଦ୍ଧି କରାଯାଇଛି। ଯଦି ଗୋଟିଏ ଆଇପିଏଲ ଟିକଟ ମୂଲ୍ୟ ୧୦୦୦ ଟଙ୍କା ରହୁଥିଲା ତେବେ ସେଥିରେ ୨୮ ପ୍ରତିଶତ ଜିଏସ୍ଟି ଲାଗୁ ହେଉଥିବାରୁ ଟିକଟ ପାଇଁ ମୋଟ୍ ୧୨୮୦ ଟଙ୍କା ଦେବାକୁ ପଢ଼ୁଥିଲା । କିନ୍ତୁ ବର୍ତ୍ତମାନ ନୂତନ ହାର ଅନୁସାରେ ଏଥିରେ ୧୪୦୦ ଟଙ୍କା ଦେବାକୁ ପଡ଼ିବ। ଯଦି ଆୟୋଜକ ଟିକଟ ମୂଲ୍ୟରେ କୌଣସି ଆଶ୍ବସ୍ତି ନ ଦିଅନ୍ତି କିମ୍ବା ହ୍ରାସ ନ କରନ୍ତି: ତେବେ ଷ୍ଟାଡିୟମରେ ଦର୍ଶକଙ୍କ ଅଭାବ ହୋଇପାରେ। ଭାରତୀୟ କ୍ରିକେଟପ୍ରେମୀ ଆଇପିଏଲକୁ ମହୋତ୍ସବ ଭଳି ପାଳନ କରନ୍ତି। ଆଇପିଏଲ ସମୟରେ ଟିକଟ ପ୍ରତି ଯଥେଷ୍ଟ ଚାହିଦା ମଧ୍ୟ ଦେଖିବାକୁ ମିଳିଥାଏ | ସ୍ୱୀକୃତିପ୍ରାପ୍ତ ଟୁର୍ଣ୍ଣାମେଣ୍ଟ ପାଇଁ ଟିକଟ ଉପରେ ଜିଏସ୍ଟି ବୃଦ୍ଧି କରା ଯାଇନାହିଁ। ଜାତୀୟ କିମ୍ବା ଅନ୍ତର୍ଜାତୀୟ ଖେଳ ପାଇଁ ୫୦୦ ଟଙ୍କାର ଟିକଟ ଉପରେ ଜିଏସ୍ଟି ଲାଗୁ ହେବନାହିଁ। ଏହାଠାରୁ ଅଧିକ ମୂଲ୍ୟର ଟିକଟ ଉପରେ ୧୮% ଜିଏସ୍ଟି ଲାଗୁହେବ।
