ଝିଅ ଜନ୍ମଦିନ ରେ କେକ ଆଣିବାକୁ ଯାଇ ଡମ୍ଫର ଧକ୍କାରେ ବାପାର ମୃତ୍ୟୁ
ସୋର: ଅଧା ରହିଗଲା ଝିଅ ଜନ୍ମଦିନ । ଝିଅ ପରୀର ଜନ୍ମଦିନରେ ହିଁ ଚାଲିଗଲା ବାପାର ଜୀବନ I ନା କେକ୍ କଟା ହେଲା ନା ଜନ୍ମଦିନର ସେ ଖୁସି, ଜନ୍ମଦିନରେ କେକ୍ ଆଣିବାକୁ ଯାଇ ଲିଭିଗଲା ବାପାର ଜୀବନ ଦୀପ ।
ଆଉ କେଇ ଘଣ୍ଟା ପରେ ଯେଉଁ ଘରୁ ‘ହାପି ବାର୍ଥ ଡେ ଟୁ ୟୁ’ ବୋଲି ଶୁଣିବାକୁ ମିଳିଥାନ୍ତା ଏବେ ସେହି ଘରୁ ଶୁଭୁଛି ହୃଦୟଫଟା କାନ୍ଦ ବୋବାଳିର କରୁଣ ସ୍ବର… ସୋରରୁ ଆସିଥିବା ଏହି ଛାତିଫଟା କାହାଣୀ ବଖାଣୁଛି…
ବାପା ଜଣଙ୍କ କେତେ ଖୁସି ଥିଲେ, ଝିଅର ଜନ୍ମଦିନ ପାଇଁ ବନାରସରେ କାମ କରୁଥିବା ବେଳେ ଛୁଟି ନେଇ ଘରକୁ ଫେରିଥିଲେ । ଝିଅର ଜନ୍ମଦିନ ପାଇଁ ଦୁଇଦିନ ତଳେ ଘରକୁ ଆସିଥିଲେ। ଆଜି ଜନ୍ମଦିନ ଥିବାରୁ ଘରେ ରଙ୍ଗବେରଙ୍ଗର ବେଲୁନ ବି ସଜାଇଥିଲେ । ଘରେ ବନ୍ଧୁବର୍ଗଙ୍କ ଭିଡ ଜମି ଥିଲା । ଝିଅର ଜନ୍ମଦିନ ସେଲିବ୍ରେସନ ପାଇଁ ଖାଲି କେକ୍ ଆଣିବା ବାକି ଥିଲା । ସଞ୍ଜରେ ସେଲିବ୍ରେସନ ଥିବାରୁ ବାପା ବାଇକ୍ ଧରି କେକ୍ ଆଣିବାକୁ ବାହାରି ଯାଇଥିଲେ । ହେଲେ କିଏ ଜାଣିଥିଲେ ବାଟରେ ଯମ ଜଗି ଥିବ ବୋଲି ହଠାତ ଡମ୍ଫର ଧକ୍କାରେ ଚାଲିଗଲା ବାପାଙ୍କ ଜୀବନ । ସୂଚନା ଅନୁସାରେ ମୃତ ଯୁବକ ଜଣଙ୍କ ହେଲେ ବାଲେଶ୍ବର ଜିଲ୍ଲା ସୋର ଥାନା ମଙ୍ଗଳପୁର ଗ୍ରାମର ଉମାକାନ୍ତ ପାଢ଼ୀ । ବୟସ ପାଖାପାଖି ୩୫ ବର୍ଷ ହେବ । ଉମାକାନ୍ତ ବନାରସର ଏକ ଘରୋଇ କମ୍ପାନୀରେ କାମ କରନ୍ତି ଆଜି ତାଙ୍କର ଏକମାତ୍ର ୩ ବର୍ଷର ଝିଅ ହର୍ଷିତା ପାଢ଼ୀ (ପରୀ)ର ଜନ୍ମଦିନ ଥିଲା। ଅପରାହ୍ନରେ ଜନ୍ମଦିନ କେକ ଆଣିବାକୁ ଓଡ଼ି ୦୧ ସି ୧୨୧ ୧୨୧୧ ନମ୍ବର ବିଶିଷ୍ଟ ହିରୋ ପେସନ ପ୍ରୋ ବାଇକ ନେଇ ସୋର ଅଭିମୁଖେ ଆସୁଥିବା ବେଳେ ସୋର ଥାନା ବାଗୁଡି ବଜାର ନିକଟ ଭଗବତୀ ଟ୍ରେଡ଼ର୍ସ ସମ୍ମୁଖରେ ପଛରୁ ଆସୁଥିବା ଏକ ପଥର ବୋଝେଇ ବେଆଇନ ଡ଼ମ୍ଫର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉମାକାନ୍ତଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିବା ସହିତ ପରିବାର ଲୋକଙ୍କୁ ଓ ସୋର ପୋଲିସକୁ ଖବର ଦେଇଥିଲେ ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରି ଥୂବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ପଥର ବୋଝେଇ ଡମ୍ପର ଟି ଫେରାର ହୋଇଯାଇଥିବା ଜଣାପଡିଛି। ସେପଟେ ପୁଅର ମୃତ୍ୟୁରେ ଭାଙ୍ଗି ପଡିଥିବା ମାଆ ଛାତିପିଟି ରାସ୍ତାରେ କାନ୍ଦୁଛି। ପରିବାର ଲୋକ ଉମାକାନ୍ତଙ୍କ ଆକସ୍ମିକ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ସମସ୍ତେ ସ୍ତବ୍ଧ ପାଲଟିଯାଇଛନ୍ତି। ଝିଅର ଜନ୍ମଦିନରେ ବାପାର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଲୁହଭିଜା ପରିବେଶ ସୃଷ୍ଟି କରିଛି । ଠିକ୍ ଏମିତି ଏକ ଘଟଣା କିଛି ବର୍ଷ ତଳେ ଉକ୍ତ ସ୍ଥାନରେ ହିଁ ଘଟିଥିଲା । ହୋଲି ଦିନ ବାପା ଝିଅକୁ ମେସରୁ ଆଣିବାକୁ ଯାଉଥିବା ବେଳେ ବାଗୁଡିର ଉକ୍ତ ସ୍ଥାନରେ ହିଁ ଟ୍ରକ୍ ଚକା ତଳେ ଜଣେ ବାପାଙ୍କର ଜୀବନ ଯାଇଥିଲା । ଆଉ ଏବେ ପୁଣି ସେମିତି ଏକ ଘଟଣା ବାପା-ଝିଅ ଓ ମୃତ୍ୟୁ ନେଇ ଘଟିଥିବା ବେଳେ ଉକ୍ତ ସ୍ଥାନକୁ ନେଇ ଲୋକେ ବିଭିନ୍ନ ଚର୍ଚ୍ଚା କରୁଛନ୍ତି। ଅନ୍ୟ ପକ୍ଷରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଦ୍ୱିତୀୟ ନିର୍ଦ୍ଦେଶ ଚିଠି ନଂ୪୧୭୬ ଅନୁସାରେ ଅଗଷ୍ଟ ୨୧ ତାରିଖରୁ ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ସୋର ବରଫ କଳ ଛକରୁ ସୋର ବାଗୁଡ଼ି ବଜାର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଭାରୀଯାନ ଚଳାଚଳ ବନ୍ଦ ରହିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଥିବା ବେଳେ ପ୍ରତେକ ଦିନ ଶହ ଶହ ବେଆଇନ ପଥର ବୋଝେଇ ଭାରୀଯାନ କେମିତି ପ୍ରଶାସନ ଆଢୁଆଳରେ ପରିବହନ ହେଉଛି ତାହା ମୁଖ୍ୟ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଏହା ଦ୍ୱାରା ଆଗାମୀ ଦିନରେ ଆଉ କେତେ ଦୁର୍ଘଟଣା ଘଟିବାର ସମ୍ଭାବନା ସୃଷ୍ଟି କରିଛି।
