ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଭାରୁଆମୁଣ୍ଡା ଗ୍ରାମ ପଂଚାୟତ ଠାରେ ପ୍ରଧାନମନ୍ତ୍ରୀ ଜନମନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଏକଦିନରେ ୧୦୦ ଗୋଟି ଗୃହର ଗୃହପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଭାରୁଆମୁଣ୍ଡା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ , ଉପ ଜିଲ୍ଲାପାଳ ସୁରମି ସୋରେନ , ଜିଲ୍ଲାପରିଷଦ ସଦସ୍ୟ ଭରତଲାଲ ରାଉତ , ପଞ୍ଚାୟତ ସମିତି ଅଧକ୍ଷ୍ୟା ତାରେଶ୍ଵରୀ ସାହୁ , ଉପାଧ୍ୟକ୍ଷ ଦିଲୀପ ନିର୍ମଳକର ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋହିତ ଭୋଇ , ସ୍ଥାନୀୟ ସରପଞ୍ଚ ଯମୁନା ସାହୁ , ସମିତିସଭ୍ୟ ତଥା ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ବିଭିନ୍ନ ଅଧିକାରୀ ଯୋଗ ଦେଇ ଥିଲେ। ଭାରୁଆମୁଣ୍ଡା ପଂଚାୟତରେ ମଞ୍ଜୁର ହୋଇଥିବା ୩୯୧ ଗୋଟି ଗୃହ ମଧ୍ୟରୁ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ୧୯ ଟି , ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନାରେ ୩୬୧ ଟି ଏବଂ ଏନଏସପିଜିୱାଇ ଯୋଜନାରେ ୧୧ ଗୋଟି, ଗୃହ ମିଳିଛି l ସେଥିରୁ ୩୫୫ ଜଣ ହିତାଧିକାରୀ ନିଜର ଗୃହ କାର୍ଯ୍ୟ ସମ୍ପୂର୍ଣ କରିଥିବାରୁ ଜିଲ୍ଲାପାଳ ଅଭିନନ୍ଦନ କରିଥିଲେ।
