ଭବାନୀପାଟଣା (କିଶନ ଶର୍ମା) : ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଜଣେ ନାବାଳିକାକୁ ଦୁଷ୍କର୍ମ ଓ ଅପହରଣ ଅଭିଯୋଗ ମାମଲାର ଶୁଣାଣି କରି ପୋକ୍ସୋ ସ୍ୱତନ୍ତ୍ର ବିଚାରପତି ରାଜିବ ଲୋଚନ ସାହୁ ଅଭିଯୁକ୍ତ ଦୁଷ୍ମନ୍ତ ନିଆଲଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ସୂଚନା ଯୋଗ୍ୟ ଗତ ୨୦୨୫ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ଅପହରଣକୁ ନେଇ ଭବାନୀପାଟଣା ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଭାରତୀୟ ନ୍ୟାୟ ସଂହିତାର ଧାରା ୧୩୭ (୨), ଧାରା ୬୪ (୨)(ଏମ୍), ଧାରା ୬୫ (୧) ଏବଂ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ଶୁଣାଣି କରି ସ୍ୱତନ୍ତ୍ର ପୋକ୍ସୋ ବିଚାରପତି ରାଜିବ ଲୋଚନ ସାହୁ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଅଭିଯୁକ୍ତ ଦୁଷ୍ମନ୍ତ ନିଆଲଙ୍କ ପକ୍ଷରୁ ଆଇନଜିବୀ ପ୍ରକାଶ ଚନ୍ଦ୍ର ସାହୁ ମାମଲା ପରିଚାଳନା କରିଥିଲେ।