କୁନ୍ଦେଇ ପୋଲିସର ବଡ଼ ସଫଳତା! ୩୫୭ଟି ଗଞ୍ଜେଇ ଗଛ ଠାବ କରି ନଷ୍ଟ, ଜଣେ ଗିରଫ
ରାଇଘର (ଉମେଶ ସାହୁ):ନିଶାଦ୍ରବ୍ୟ ବିରୋଧରେ ନବରଙ୍ଗପୁର ଜିଲ୍ଲା ପୋଲିସର ଅଭିଯାନ ଜାରି। ବେଆଇନ ଗଞ୍ଜେଇ ଚାଷ ବିରୋଧରେ କୁନ୍ଦେଇ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। କୁନ୍ଦେଇ ଥାନା ଅନ୍ତର୍ଗତ କୋରାଡିହି ଗ୍ରାମ ନିକଟରେ ଚାଷ ହୋଇଥିବା ୩୫୭ଟି ଗଞ୍ଜେଇ ଗଛକୁ ପୋଲିସ ଠାବ କରି ନଷ୍ଟ କରିଥିବା ବେଳେ ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୩ ନଭେମ୍ବର ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟ୍ ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୁନ୍ଦେଇ ଥାନା ପୋଲିସ ଟିମ୍ ଦୁଇ ଜଣ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ କୋରାଡିହି ଗ୍ରାମ ନିକଟସ୍ଥ ଏକ ଚାଷ ଜମିରେ ଚଢ଼ାଉ କରିଥିଲା।ଚଢ଼ାଉ ସମୟରେ ଉକ୍ତ ଜମିରେ ଧାଡ଼ି ଧାଡ଼ି ହୋଇ ଲଗାଯାଇଥିବା ପ୍ରାୟ ୨.୫ ରୁ ୩.୫ ଫୁଟ ଉଚ୍ଚତାର ୩୫୭ଟି ଗଞ୍ଜେଇ ଗଛ ଠାବ ହୋଇଥିଲା। ପୋଲିସକୁ ଦେଖି ଗଛର ଯତ୍ନ ନେଉଥିବା ଜଣେ ବ୍ୟକ୍ତି ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲା।ଗିରଫ ଅଭିଯୁକ୍ତ ହେଲେ ୬୫ ବର୍ଷୀୟ ମେହେତର ଗଣ୍ଡ। ସେ କୋରାଡିହି ଗ୍ରାମର ବାସିନ୍ଦା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।ଅନ୍ୟପଟେ ରାସାୟନିକ ପରୀକ୍ଷା ପାଇଁ ଦୁଇଟି ଗଞ୍ଜେଇ ଗଛର ନମୁନା ସିଲ୍ କରି ଜବତ କରାଯାଇଥିବା ବେଳେ ଅବଶିଷ୍ଟ ଗଛଗୁଡ଼ିକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଛି।ଏହି ଘଟଣାକୁ ନେଇ କୁନ୍ଦେଇ ଥାନାରେ NDPS ଆଇନର ଧାରା ୨୦ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି।ବେଆଇନ ନିଶାଦ୍ରବ୍ୟ ଚାଷ ଓ କାରବାର ଉପରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ନିଶାମୁକ୍ତ ସମାଜ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି।
