*ନୂଆପଡ଼ା ଉନ୍ମେଷ’ର ଶୁଭାରମ୍ଭ: ଦାଦନ ସମସ୍ୟାର ମୁକାବିଲା ଓ ସ୍ଥାନୀୟ ଜୀବିକା ସୃଷ୍ଟି ଲକ୍ଷ୍ୟରେ ଅଭିନବ ପଦକ୍ଷେପ*
ନୂଆପଡା(ମିଖାଏଲ ନନ୍ଦ)
ତା.୨୩/୧୧:
ଦାଦନ ସମସ୍ୟାର ମୁକାବିଲା, ସ୍ଥାନୀୟ ଜୀବିକା ଓ ନିଯୁକ୍ତି ସୁଯୋଗ ସୃଷ୍ଟି, ସରକାରୀ ଯୋଜନାର ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ତଥା ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପଦକ୍ଷେପ ‘ନୂଆପଡ଼ା ଉନ୍ମେଷ’। ଆଜି କୋମନା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଅନ୍ୟା ଦାସ ଏହି ସ୍ୱତନ୍ତ୍ର ସମନ୍ୱିତ ଜନସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତପନ ନାରାୟଣ ରଥ, ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଇଶାନୀ ମିତ୍ର, ଉପଜିଲ୍ଲାପାଳ ସୁର୍ମି ସୋରେନ, ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର ଓ ଉପାଧ୍ୟକ୍ଷ ଜୟଦେବ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ନୂତନ ପଞ୍ଜୀକରଣ, ପୁରୁଣା ପଞ୍ଜୀକରଣର ନବୀକରଣ, ଆବେଦନ ଗ୍ରହଣ ଓ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ସୁବିଧା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ।
ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ସଂଯୋଗ ଓ ଛେଳି ପାଳନ, ପନିପରିବା ଚାଷ ଆଦି ଆୟବର୍ଦ୍ଧକ କାର୍ଯ୍ୟକ୍ରମ ସହ ଯୋଡ଼ାଯିବ। କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ Agri-Stack, ପିଏମ୍-କିଷାନ, ସିଏମ୍-କିଷାନ ଏବଂ ଅନ୍ୟାନ୍ୟ ଯୋଜନାରେ ସହାୟତା ପ୍ରଦାନ କରାଯିବ। ଏଥିସହ ଶିକ୍ଷା ଓ ସମାଜ ମଙ୍ଗଳ ବିଭାଗ ପକ୍ଷରୁ ବିଦ୍ୟାଳୟରୁ ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କ ଚିହ୍ନଟ, ପୁନଃ ନାମଲେଖା, ଛାତ୍ରବୃତ୍ତି ଓ ଛାତ୍ରାବାସ ସୁବିଧା ସମ୍ପର୍କରେ ସହାୟତା ଦିଆଯିବ।
