ଆର୍. ଉଦୟଗିରି ପୋଲିସ ର ବଡ ସଫଳତା ଦୀର୍ଘ ୧୦ ବର୍ଷ ପରେ ନିଖୋଜ ନାବାଳିକାଙ୍କୁ ଉଦ୍ଧାର ।
ଗଜପତି (ଟିକି ଲିମା)
ଦୀର୍ଘ ୧୦ ବର୍ଷ ଧରି ନିଖୋଜ ଥିବା ଜଣେ ନାବାଳିକାଙ୍କୁ ଶେଷରେ ଉଦ୍ଧାର କରିବାରେ ସଫଳ ହୋଇଛି ଗଜପତି ଜିଲ୍ଲାର ଆର୍. ଉଦୟଗିରି ପୋଲିସ। ନିଖୋଜ ନାବାଳିକା କେଶମଣି ଗମାଙ୍ଗଙ୍କୁ ବାଲେଶ୍ୱରରୁ ଠାବ କରି ଉଦ୍ଧାର କରାଯାଇଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ୨୦୧୬ ଅକ୍ଟୋବର ୩ ତାରିଖ ଦିନ ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ନୂଆସାହି ଗ୍ରାମର ୭୦ ବର୍ଷୀୟ କାଞ୍ଜି ଗମାଙ୍ଗ ନିଜର ୧୬ ବର୍ଷୀୟା ନାବାଳିକା ଝିଅ ନିଖୋଜ ହେବା ଓ ଅପହରଣ ହୋଇଥିବା ସମ୍ପର୍କରେ ଆର୍. ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ଥାନା କେସ୍ ନଂ ୬୪/୨୦୧୬ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।
ତଦନ୍ତ ସମୟରେ ପୋଲିସ ଟିମ୍ ନିଖୋଜ ନାବାଳିକାଙ୍କ ସନ୍ଧାନ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ଖୋଜାଖୋଜି କରିଥିଲା। ଏପରିକି ତାମିଲନାଡୁର କନ୍ୟାକୁମାରୀ ଓ ହାଇଦ୍ରାବାଦର ବିଭିନ୍ନ କମ୍ପାନୀ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନରେ ମଧ୍ୟ ଖୋଜାଖୋଜି କରାଯାଇଥିଲା।
ଦୀର୍ଘ ବର୍ଷ ଧରି ଅନେକ ଆହ୍ୱାନ ସତ୍ତ୍ୱେ ପୋଲିସ ତଦନ୍ତ ଜାରି ରଖିଥିଲା। ଶେଷରେ ନିରନ୍ତର ଉଦ୍ୟମ ଓ ତଦନ୍ତ ପରେ ପ୍ରାୟ ୧୦ ବର୍ଷ ପରେ ବାଲେଶ୍ୱରରୁ କେଶମଣି ଗମାଙ୍ଗଙ୍କୁ ଠାବ କରି ସଫଳତାର ସହ ଉଦ୍ଧାର କରିଛି ଆର୍. ଉଦୟଗିରି ପୋଲିସ।
ପୋଲିସର ଏହି ନିରନ୍ତର ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି।
