*ଛଅ ବର୍ଷ ହେଲା ସ୍ୱାମୀଙ୍କ ମୃତ୍ୟୁ, ତଥାପି ମିଳୁନି ବିଧବା ଭତ୍ତା!*
*ଦୁଇ ଝିଅ ଓ ଗୋଟିଏ ପୁଅଙ୍କ ମୁହଁରେ ଆହାର ଦେବାକୁ ପର ଘରେ ମୂଲ ଲାଗୁଛନ୍ତି ମୁକ୍ତି; ଶୁଣିବ କି ପ୍ରଶାସନ?*
ରାଇଘର:ତା:୨୩/୧୧(ଉମେଶ ସାହୁ)
ମଥା ଉପରୁ ସ୍ୱାମୀଙ୍କ ଛାୟା ହଟିବାର ଛଅ ବର୍ଷ ବିତିଗଲାଣି। ହେଲେ ଆଜି ବି ଶେଷ ହୋଇନି ମୁକ୍ତି ସୁନାମୀଙ୍କ ଦୁଃଖର କାହାଣୀ। ଦୁଇ ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ଜୀବନର ଲଢ଼େଇ ଲଢ଼ୁଥିବା ମୁକ୍ତିଙ୍କ ପାଇଁ ଜୀବିକା ନିର୍ବାହ ଆଜି ବି ଏକ ବଡ଼ ସଂଘର୍ଷ। ପିଲାମାନଙ୍କ ମୁହଁରେ ଦୁଇ ମୁଠା ଆହାର ଦେବାକୁ ସେ ପର ଘରେ କୁଲିମଜୁରି କରି ଦିନ କାଟୁଛନ୍ତି। କିନ୍ତୁ ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ସରକାରଙ୍କ ବିଧବା ଭତ୍ତା ତାଙ୍କ ପାଇଁ ଏବେ ବି ସାତସପନ ପାଲଟିଛି।
ଏଭଳି ଏକ ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁରାବେଢ଼ା ପଞ୍ଚାୟତର ରେଙ୍ଗାଭାଟି ଗ୍ରାମରୁ। ସ୍ୱାମୀଙ୍କ ମୃତ୍ୟୁ ପରେ ଜଣେ ଅସହାୟ ମହିଳାଙ୍କୁ ସରକାରୀ ସହାୟତାର ହାତ ବଢ଼ାଇବା ପରିବର୍ତ୍ତେ ଦୀର୍ଘ ଛଅ ବର୍ଷ ଧରି ସେ ବିଧବା ଭତ୍ତାରୁ ବଞ୍ଚିତ ରହିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି।
କେବଳ ମୁକ୍ତି ନୁହନ୍ତି, କୁରାବେଢ଼ା ପଞ୍ଚାୟତ ଅଞ୍ଚଳରେ ବିଧବା, ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ଭଳି ଅନେକ ହିତାଧିକାରୀ ସରକାରୀ ଯୋଜନାର ସୁଫଳରୁ ବଞ୍ଚିତ ଥିବା ଅଭିଯୋଗ ହେଉଛି। ତେବେ ପଞ୍ଚାୟତରେ ନିୟୋଜିତ କର୍ମଚାରୀମାନେ କ’ଣ ଏସବୁ ସମସ୍ୟା ଦେଖି ମଧ୍ୟ ନଦେଖିବାର ଅଭିନୟ କରୁଛନ୍ତି? ନା ଅସହାୟ ଲୋକଙ୍କ ଦୁଃଖ ପ୍ରତି କାହାରି ଦୃଷ୍ଟି ପଡ଼ୁନାହିଁ?
