*ତିନି ମାସ ହେଲା ଶୁଖିଲା ନଳକୂପ, ପାଣି ପାଇଁ ଡହଳବିକଳ ଭାଟିପାରା ଗ୍ରାମବାସୀ!*
*ପଞ୍ଚାୟତରେ ନାହିଁ ପାଇପ୍, ବ୍ଲକ୍ରେ ବି ନାହିଁ ବ୍ୟବସ୍ଥା; ପାଣି ସମସ୍ୟାରେ ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନ*
ରାଇଘର ତା ୧୦/୧୧(ଉମେଶ ସାହୁ)ପାଣି ହିଁ ଜୀବନ, ହେଲେ ସେହି ଜୀବନର ମୌଳିକ ଆବଶ୍ୟକତା ପାଇଁ ଦୀର୍ଘ ତିନି ମାସ ହେଲା ସଂଘର୍ଷ କରୁଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ କୁମୁଲି ପଞ୍ଚାୟତ ଅନ୍ତର୍ଗତ ଭାଟିପାରା ଗ୍ରାମବାସୀ।
ଗ୍ରାମର ନଳକୂପର ପାଇପ୍ ଖରାପ ହୋଇଯିବାରୁ ତାହାକୁ କାଢ଼ି ଦିଆଯାଇଛି। କିନ୍ତୁ ଦୁଃଖର ବିଷୟ, ଏହାର ବଦଳରେ ନୂତନ ପାଇପ୍ ଲଗାଇବା ପାଇଁ ପଞ୍ଚାୟତରେ ନାହିଁ ବ୍ୟବସ୍ଥା, ବ୍ଲକ୍ରେ ମଧ୍ୟ ଉପଲବ୍ଧ ନାହିଁ। ଫଳରେ ଦିନ ପରେ ଦିନ ବିତୁଥିଲେ ମଧ୍ୟ ଗ୍ରାମବାସୀଙ୍କ ପାଣି ସମସ୍ୟାର ସମାଧାନ ହୋଇପାରୁନାହିଁ।ପିଇବା ପାଣି ପାଇଁ ଲୋକେ କେତେ ଦିନ ଆଉ ଏମିତି ହନ୍ତସନ୍ତ ହେବେ? ଗୋଟିଏ ପାଇପ୍ ଅଭାବରୁ ତିନି ମାସ ଧରି ଏକ ଗାଁର ଜଳଯୋଗାଣ ବ୍ୟବସ୍ଥା ଅଚଳ ହୋଇପଡ଼ିବା ପ୍ରଶାସନିକ ତତ୍ପରତା ଉପରେ ବଡ଼ ପ୍ରଶ୍ନ ଉଠାଇଛି।ସରକାର ଘରେ ଘରେ ପାନୀୟ ଜଳ ଯୋଗାଣର ନାରା ଦେଉଥିବାବେଳେ ଭାଟିପାରା ଗ୍ରାମବାସୀଙ୍କ ପାଇଁ ଗୋଟିଏ ନଳକୂପ ମରାମତି ଏତେ କଷ୍ଟକର କାହିଁକି? ତୁରନ୍ତ ନୂତନ ପାଇପ୍ ଯୋଗାଇ ନଳକୂପକୁ ସଚଳ କରିବା ସହ ଗ୍ରାମବାସୀଙ୍କ ପାଣି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି ହେଉଛି।
