ଭାଗୀରଥୀ ମଣ୍ଡାଙ୍ଗୀ ହତ୍ୟା ମାମଲା: ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ଆତ୍ମସମର୍ପଣ କଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ
(ଡା:ରମେଶ କୁମାର.ନି:ପ୍ର)
ରାୟଗଡ଼ା: ୨୦୧୦ ମସିହାର ବହୁଚର୍ଚ୍ଚିତ ଭାଗୀରଥୀ ମଣ୍ଡାଙ୍ଗୀ ହତ୍ୟା ମାମଲାରେ ଓଡ଼ିଶାର ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ସୋମବାର ରାୟଗଡ଼ା ଏସ୍ଡିଜେଏମ୍ (SDJM) ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ରାୟଗଡ଼ା ଉପକାରାଗାରକୁ ପଠାଯାଇଛି। ଏହି ମାମଲାରେ ରାଓଙ୍କ ସମେତ ଅନ୍ୟ ଚାରିଜଣ ମଧ୍ୟ ଅଭିଯୁକ୍ତ ଅଛନ୍ତି।
ରାଓ ଆତ୍ମସମର୍ପଣ କରିବା ପୂର୍ବରୁ ରାୟଗଡ଼ାସ୍ଥିତ ତାଙ୍କ ବାସଭବନରେ ବହୁ ସଂଖ୍ୟାରେ ସମର୍ଥକ ଏକତ୍ରିତ ହୋଇଥିଲେ। ଶତାଧିକ ସମର୍ଥକ ତାଙ୍କୁ ଭେଟିବାକୁ ପହଞ୍ଚିଥିଲେ। ପରେ ସେ ଅଦାଲତରେ ପହଞ୍ଚି ଆଇନଗତ ପ୍ରକ୍ରିୟା ପୂରଣ କରିବା ପରେ ତାଙ୍କୁ ଜେଲ୍ ପଠାଇବାକୁ ନିର୍ଦ୍ଦେଶ ହୋଇଥିଲା।
ଜାମିନ ସମ୍ପର୍କିତ ଆଶ୍ୱସ୍ତି ରଦ୍ଦ କରିଥିଲେ ସୁପ୍ରିମକୋର୍ଟ
ଭାଗୀରଥୀ ମଣ୍ଡାଙ୍ଗୀଙ୍କ ଭାଇ ଜଗନ୍ନାଥ ମଣ୍ଡାଙ୍ଗୀ ଓଡ଼ିଶା ହାଇକୋର୍ଟଙ୍କ ଜାମିନ ସମ୍ପର୍କିତ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ୨୬ ଅକ୍ଟୋବର ୨୦୨୬ରେ ହାଇକୋର୍ଟଙ୍କ ଆଦେଶର ସେହି ଅଂଶକୁ ରଦ୍ଦ କରିଥିଲେ, ଯେଉଁଥିରେ ଆତ୍ମସମର୍ପଣ ପରେ ଅଭିଯୁକ୍ତମାନଙ୍କୁ ନିୟମିତ
ଜାମିନ ଦେବାକୁ ନିର୍ଦ୍ଦେଶ ଥିଲା। ଏହାପରେ ଅଭିଯୁକ୍ତମାନଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରି ଜାମିନ ଆବେଦନ କରିବାକୁ ପଡ଼ିଥିଲା। ଜାମିନ ନିଷ୍ପତ୍ତି ନେବାର ଦାୟିତ୍ୱ ନିମ୍ନ ଅଦାଲତଙ୍କ ଉପରେ ରହିଥିଲା।
୨୦୧୦ରେ ହୋଇଥିଲା ହତ୍ୟା ଓ ଅପହରଣ ମାମଲା ରୁଜୁ
ଭାଗୀରଥୀ ମଣ୍ଡାଙ୍ଗୀଙ୍କ ହତ୍ୟା ଘଟଣାରେ ୨୩ ଡିସେମ୍ବର ୨୦୧୦ରେ ରାୟଗଡ଼ା ଥାନାରେ ଏଫ୍ଆଇଆର୍ ନଂ ୨୦୮/୨୦୧୦ ରୁଜୁ ହୋଇଥିଲା। ଏଥିରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୦-ବି, ୩୦୨, ୨୦୧, ୩୬୪ ଓ ୩୪ ଅନୁଯାୟୀ ମାମଲା ରୁଜୁ ହୋଇଥିଲା।
ଏହି ମାମଲାରେ ଏନ୍. ଭାସ୍କର ରାଓଙ୍କ ସମେତ ଏପିଲି ସନ୍ନ୍ୟାସୀ ରାଜୁ, ଆଦିନାରାୟଣ ରାଓ, କେ. କୃଷ୍ଣା ରାଓ ଏବଂ ପି. ଦିଲୀପ କୁମାରଙ୍କୁ ଅଭିଯୁକ୍ତ କରାଯାଇଛି। ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତଦନ୍ତ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ପରେ ୫ ଏପ୍ରିଲ ୨୦୧୧ରେ କଟକ ସିଆଇଡି-କ୍ରାଇମବ୍ରାଞ୍ଚ ଥାନାରେ କେସ୍ ନଂ ୧୦/୨୦୧୧ ରୁଜୁ କରାଯାଇ ତଦନ୍ତ ଆଗକୁ ବଢ଼ାଯାଇଥିଲା।
ଜଗନ୍ନାଥ ମଣ୍ଡାଙ୍ଗୀଙ୍କ ଆବେଦନ ପରେ ତ୍ୱରାନ୍ୱିତ ହୋଇଥିଲା ଆଇନଗତ ପ୍ରକ୍ରିୟା
ଏହି ମାମଲାରେ ମୃତ ଭାଗୀରଥୀ ମଣ୍ଡାଙ୍ଗୀଙ୍କ ଭାଇ ଜଗନ୍ନାଥ ମଣ୍ଡାଙ୍ଗୀ ଦୀର୍ଘଦିନ ଧରି ନ୍ୟାୟ ପାଇଁ ଆଇନଗତ ଲଢ଼େଇ ଜାରି ରଖିଛନ୍ତି। ନଭେମ୍ବର ୨୦୨୪ରେ ରାୟଗଡ଼ା ଅଦାଲତ ପୂର୍ବତନ ସାଂସଦଙ୍କ ସମେତ ଛଅଜଣଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ। ଜଗନ୍ନାଥ ମଣ୍ଡାଙ୍ଗୀଙ୍କ ଆବେଦନ ପରେ ଏହି ପଦକ୍ଷେପ ନିଆଯାଇଥିଲା।
ଅଦାଲତଙ୍କ ଲଗାତାର ଶୁଣାଣି ଏବଂ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଶେଷରେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କୁ ଆତ୍ମସମର୍ପଣ କରି ଜେଲ୍ ଯିବାକୁ ପଡ଼ିଛି।
