ସଂସ୍କୃତି ଭବନ ନିର୍ମାଣ ପାଇଁ ଚିହ୍ନଟ ଜାଗାକୁ ଗ୍ରାମବାସୀଙ୍କ ବିରୋଧ! ଜଙ୍ଗଲ ଜମି ସୁରକ୍ଷା ଦାବିରେ ତହସିଲ ଅଫିସ୍ରେ ପହଞ୍ଚିଲେ ଚାରି ଗ୍ରାମର ଲୋକେ, ନ୍ୟାୟ ନମିଳିଲେ ଧାରଣା ଚେତାବନୀ।
ରାଇଘର (ଉମେଶ ସାହୁ)ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ସଂସ୍କୃତି ଭବନ ନିର୍ମାଣ ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏହି ଭବନ ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ଜାଗାକୁ ନେଇ ଏବେ ରାଇଘର ଅଞ୍ଚଳରେ ଦେଖାଦେଇଛି ବିବାଦ। ଗୋଟିଏ ପଟେ ସଂସ୍କୃତି ଭବନ ନିର୍ମାଣର ଯୋଜନା, ଅନ୍ୟପଟେ ଦୀର୍ଘ ୪୦ ବର୍ଷ ଧରି ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଥିବା ଗ୍ରାମବାସୀଙ୍କ ଜୀବିକା ଓ ଜଙ୍ଗଲ ସୁରକ୍ଷାର ପ୍ରଶ୍ନ। ଏହାକୁ ନେଇ ଏବେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।ସୂଚନା ଅନୁଯାୟୀ, କୋଟପାରା,ବେଲପାରା,ଡବରିପାରା ଓ ଡିବିରିପାରା ଗ୍ରାମର ବାସିନ୍ଦାମାନେ ଦୀର୍ଘ ପ୍ରାୟ ୪୦ ବର୍ଷ ଧରି ଏହି ଜଙ୍ଗଲ ଜମିକୁ ସୁରକ୍ଷା ଦେଇ ଆସୁଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଜଙ୍ଗଲରୁ ଶୁଖିଲା ଡାଳପତ୍ର ସଂଗ୍ରହ କରି ଜାଳେଣି ଭାବେ ବ୍ୟବହାର କରିବା ସହ ପ୍ରତିଦିନ ପାଳି କରି ଜଙ୍ଗଲର ରକ୍ଷଣାବେକ୍ଷଣ ଓ ସୁରକ୍ଷା କରି ଆସୁଛନ୍ତି।କେବଳ ଜାଳେଣି ପାଇଁ ନୁହେଁ, ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନର ଅନେକ ଆବଶ୍ୟକତା ଏହି ଜଙ୍ଗଲ ଉପରେ ନିର୍ଭର କରିଥାଏ। ତେଣୁ ଏହି ଜଙ୍ଗଲ ଜମି ସେମାନଙ୍କ ପାଇଁ କେବଳ ଜମି ନୁହେଁ, ବରଂ ଜୀବନ ଓ ଜୀବିକାର ଏକ ମୁଖ୍ୟ ଆଧାର ବୋଲି ଗ୍ରାମବାସୀ କହିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗତ ଅକ୍ଟୋବର ୩୧ ତାରିଖ ଦିନ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉକ୍ତ ଅଞ୍ଚଳକୁ ଆସିଥିଲେ। ସେଠାରେ ସଂସ୍କୃତି ଭବନ ନିର୍ମାଣ ପାଇଁ ଏହି ଜଙ୍ଗଲ ଜମିକୁ ଚିହ୍ନଟ କରିବା ଏବଂ ସେହି ସ୍ଥାନରେ ନିର୍ମାଣ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେମାନେ କହିଛନ୍ତି। ତେବେ ଏହି ନିଷ୍ପତ୍ତି ପୂର୍ବରୁ ଗ୍ରାମବାସୀଙ୍କ ସହ ଆଲୋଚନା କିମ୍ବା ସେମାନଙ୍କ ମତାମତ ନିଆଯାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ସେମାନଙ୍କ କହିବା ଅନୁଯାୟୀ, ରାଇଘର ବ୍ଲକର ମୂଳନିବାସୀ ସମାଜ ପକ୍ଷରୁ ଗତ ଅଗଷ୍ଟ ୨ ତାରିଖରେ ସଂସ୍କୃତି ଭବନ ନିର୍ମାଣ ପାଇଁ ଅନ୍ୟ ଏକ ସ୍ଥାନ ଚିହ୍ନଟ କରାଯାଇଥିଲା। ତେଣୁ ପୂର୍ବରୁ ଚିହ୍ନଟ ହୋଇଥିବା ସେହି ସ୍ଥାନରେ ହିଁ ଭବନ ନିର୍ମାଣ କରାଯାଉ, ନଚେତ୍ ଅନ୍ୟ କୌଣସି ଉପଯୁକ୍ତ ସ୍ଥାନରେ ନିର୍ମାଣ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।ଏହି ଦାବିକୁ ନେଇ ଚାରି ଗ୍ରାମର ପୁରୁଷ ଓ ମହିଳାମାନେ ଏକାଠି ହୋଇ ରାଲିରେ ବାହାରିଥିଲେ। ନାରାବାଜି ଦେଇ ତହସିଲ କାର୍ଯ୍ୟାଳୟରେ ପହଞ୍ଚିବା ସହ ତହସିଲଦାରଙ୍କୁ ନିଜର ଦାବି ଜଣାଇଥିଲେ।ଗ୍ରାମବାସୀମାନେ ତହସିଲଦାରଙ୍କୁ ଅନୁରୋଧ କରି କହିଥିଲେ ଯେ, ଆମେ ଦୀର୍ଘ ୪୦ ବର୍ଷ ଧରି ଏହି ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛୁ। ଆମର ଦୈନନ୍ଦିନ ଜୀବନର ଅନେକ ଆବଶ୍ୟକତା ଏହି ଜଙ୍ଗଲ ଉପରେ ନିର୍ଭର କରୁଛି। ତେଣୁ ଆମ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ସଂସ୍କୃତି ଭବନ ନିର୍ମାଣ ନକରାଯାଉ। ଆମର ଅନୁରୋଧକୁ ବିଚାର କରି ଅନ୍ୟ ସ୍ଥାନରେ ଭବନ ନିର୍ମାଣ କରାଗଲେ ଚାରି ଗ୍ରାମର ସମସ୍ତ ଗ୍ରାମବାସୀ ଆପଣଙ୍କ ନିକଟରେ ଚିରକୃତଜ୍ଞ ରହିବୁ।ଏହା ସହିତ ଗ୍ରାମବାସୀ ଆଉ ଏକ ଗୁରୁତର ଅଭିଯୋଗ ମଧ୍ୟ ଆଣିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏହି ବିଷୟରେ ଗ୍ରାମର ଦୁଇରୁ ତିନି ଜଣ ବ୍ୟକ୍ତି ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସେମାନେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଯେ, ଗ୍ରାମବାସୀ ଏହି ଜଙ୍ଗଲ ଉପରେ ନିର୍ଭର କରୁଥିବାରୁ ଏହି ସ୍ଥାନରେ ସଂସ୍କୃତି ଭବନ ନିର୍ମାଣ ନକରି ଅନ୍ୟ ଜାଗାରେ ନିର୍ମାଣ କରାଯାଉ। କିନ୍ତୁ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସେମାନଙ୍କୁ ନିରାଶ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେମାନଙ୍କ ଦାବି ଅନୁଯାୟୀ, ମନ୍ତ୍ରୀ ଧମକ ଦେଲା ଭଳି କଥା କହିବା ସହ, “ମୁଁ କାହା କଥା ଶୁଣିବି ନାହିଁ, ଏହି ଜାଗାରେ ହେବ ମାନେ ହେବ” ବୋଲି କହିଥିଲେ। ତେବେ ଏହି କଥାର ସ୍ୱତନ୍ତ୍ର ପୁଷ୍ଟି କିମ୍ବା ମନ୍ତ୍ରୀଙ୍କ ପକ୍ଷରୁ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିନାହିଁ।ଗ୍ରାମବାସୀଙ୍କ ପ୍ରଶ୍ନ ହେଉଛି, ଯେଉଁ ଜଙ୍ଗଲକୁ ସେମାନେ ଦଶନ୍ଧି ଦଶନ୍ଧି ଧରି ସୁରକ୍ଷା ଦେଇ ଆସୁଛନ୍ତି, ସେହି ଜଙ୍ଗଲର ଭବିଷ୍ୟତ ସମ୍ପର୍କରେ ସେମାନଙ୍କ ମତାମତ ନେବା ଆବଶ୍ୟକ ନୁହେଁ କି? ବିକାଶ ନାମରେ ନିର୍ମାଣ କାର୍ଯ୍ୟ ହେବା ଉଚିତ୍, କିନ୍ତୁ ତାହା ଲୋକଙ୍କ ଜୀବିକା ଓ ପରିବେଶକୁ ପ୍ରଭାବିତ ନକରି ହୋଇପାରିବ ନାହିଁ କି?ଏବେ ଚାରି ଗ୍ରାମର ଲୋକଙ୍କ ଦାବିକୁ ପ୍ରଶାସନ କେତେ ଗୁରୁତ୍ୱ ଦେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।ଗ୍ରାମବାସୀ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ଯଦି ସେମାନଙ୍କ ଦାବିକୁ ପ୍ରଶାସନ ଶୁଣିବା ସହ ନ୍ୟାୟସଙ୍ଗତ ସମାଧାନ ନକରେ, ତେବେ ଆଗାମୀ ଦିନରେ ସେମାନେ ଧାରଣାରେ ବସିବାକୁ ବାଧ୍ୟ ହେବେ।
