ସୀମାନ୍ତରେ ଏକତାର ସ୍ୱର: ଏକାଠି ହେଲେ ଓଡ଼ିଶା-ଛତିଶଗଡ଼ ସାମ୍ବାଦିକ
ସିନାପାଲି, ୨/୧୧ (ଧର୍ମେନ୍ଦ୍ର କୁମାର ଗହିର)(ନିପ୍ର): ସାମ୍ବାଦିକତାର ସୁରକ୍ଷା, ସମ୍ମାନ ଓ ଏକତାକୁ ସୁଦୃଢ଼ କରିବା ସହ ସୀମାନ୍ତ ଅଞ୍ଚଳର ଜନସମସ୍ୟାକୁ ଅଧିକ ପ୍ରଭାବଶାଳୀ ଭାବେ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଉଭୟ ରାଜ୍ୟର ସାମ୍ବାଦିକମାନଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସୀମାନ୍ତ ଅଞ୍ଚଳର ସାମାଜିକ, ପ୍ରଶାସନିକ ଓ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଏଥିସହ ସାମ୍ବାଦିକମାନଙ୍କ ମଧ୍ୟରେ ଭାଇଚାରା, ପରସ୍ପର ସହଯୋଗ ଓ ଏକତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ସାମ୍ବାଦିକମାନଙ୍କ ସମେତ ଛତିଶଗଡ଼ର ଦେଓଭୋଗ, ଗରିଆବନ୍ଧ ଓ ମେନପୁର, କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଏବଂ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଅଞ୍ଚଳର ବହୁ ସାମ୍ବାଦିକ ଯୋଗଦେଇଥିଲେ। ଉପସ୍ଥିତ ସାମ୍ବାଦିକମାନଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଆଲୋଚନା ସମୟରେ ସାମ୍ବାଦିକତାର ଦାୟିତ୍ୱ, ସାମ୍ବାଦିକଙ୍କ ସୁରକ୍ଷା ଓ ସାମ୍ବାଦିକ ସମାଜର ସମସ୍ୟା ଉପରେ ବିଶେଷ ମତ ପ୍ରକାଶ ପାଇଥିଲା। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ସାମ୍ବାଦିକତାର ସୁରକ୍ଷା ଓ ସମ୍ମାନ ରକ୍ଷା ପାଇଁ ସାମ୍ବାଦିକଙ୍କ ମଧ୍ୟରେ ଏକତା ଅତ୍ୟନ୍ତ ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା।
ସତ୍ୟ, ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତା ମାଧ୍ୟମରେ ସାଧାରଣ ଲୋକଙ୍କ ସ୍ୱରକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ପହଞ୍ଚାଇବା ଜଣେ ସାମ୍ବାଦିକଙ୍କ ପ୍ରମୁଖ ଦାୟିତ୍ୱ ବୋଲି ବରିଷ୍ଠ ସାମ୍ବାଦିକମାନେ ମତ ରଖିଥିଲେ। ଏଥିସହ ଉଭୟ ରାଜ୍ୟର ସାମ୍ବାଦିକଙ୍କ ମଧ୍ୟରେ ସୂଚନା ଆଦାନ-ପ୍ରଦାନ, ପରସ୍ପର ସହଯୋଗ ଓ ସୀମାନ୍ତ ଅଞ୍ଚଳର ଜନସମସ୍ୟାକୁ ପ୍ରାଥମିକତା ଦେଇ ଖବର ପ୍ରସାରଣ ଉପରେ ଆଲୋଚନା ହୋଇଥିଲା। ରାଜ୍ୟର ସୀମା ଅଲଗା ହୋଇପାରେ, କିନ୍ତୁ ସାମ୍ବାଦିକତାର ଲକ୍ଷ୍ୟ ଏକ—ସତ୍ୟକୁ ସମାଜ ସମ୍ମୁଖରେ ଉପସ୍ଥାପନ କରିବା। ଏହି ମର୍ମରେ ଓଡ଼ିଶା ଓ ଛତିଶଗଡ଼ର ସାମ୍ବାଦିକମାନେ ଏକତ୍ରିତ ହୋଇ ଜନସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍୍ଗଗୁଡ଼ିକୁ ଅଧିକ ଦୃଢ଼ତାର ସହ ଉଠାଇବାକୁ ସଙ୍କଳ୍ପ ନେଇଥିଲେ।
ବୈଠକରେ ଛତିଶଗଡ଼ର ଦେଓଭୋଗ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ପୁରୁଷୋତ୍ତମ ପାତ୍ର, ମନମୋହନ ନେତମ, ଗିରିଶ ଜଗତ, ରମେଶ ସୋନି, ମେନପୁରର ରାଧେ ପଟେଲ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ବରିଷ୍ଠ ସାମ୍ବାଦିକ ବିରଞ୍ଚି ଜାଲ, ଅଂଶୁମାନ ପାତ୍ର, ବୈଦ୍ୟନାଥ ବେହେରା, ସୁବ୍ରତ ପଣ୍ଡା ଏବଂ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିର ପୀତାମ୍ବର ସୋରୀ, ମଦନ ହିଆଲ, ଅର୍ଜୁନ ଚଣ୍ଡୀଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସିନାପାଲି ପ୍ରେସ କ୍ଲବର ସାମ୍ବାଦିକ ଅଜିତ ଯୋଶୀ, ଜୟ ଜଗନ୍ନାଥ ସାମ୍ବାଦିକ ସଂଘର ସଭାପତି ଜଗନ୍ନାଥ ସାଗରଙ୍କ ସମେତ ବରିଷ୍ଠ ସାମ୍ବାଦିକ ଶୁଭ୍ରାଂଶୁ ନାଏକ, ରାହୁଲ ରଣା, ବିହାରୀ ଲାଲ ଜଗତ, ଧର୍ମେନ୍ଦ୍ର କୁମାର ଗହିର, ବନବିହାରୀ ମେହେର, ସୁଶାନ୍ତ ନାୟକ ଓ ଚିନ୍ତାମଣି ନେତମ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ସାମ୍ବାଦିକ ଏକତା, ପରସ୍ପର ସମ୍ମାନ ଓ ସହଯୋଗ ହିଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ସୁଦୃଢ଼ ଓ ସୁରକ୍ଷିତ ରଖିପାରିବ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ।
