ମୁରବି ବିହୀନ ମାଥିଲି ପଞ୍ଚାୟତ ସମିତି କାର୍ଯ୍ୟାଳୟବିଡିଓଙ୍କ ବଦଳିକୁ ମାସେ ବିତିଲା, ନୂତନ ବିଡିଓଙ୍କ ଯୋଗଦାନ କେବେ? ଅଚଳ ହେବ କି ବିକାଶମୂଳକ କାର୍ଯ୍ୟ?ମାଥିଲି ନିପ୍ର: ଶ୍ରୀଧର ପାଢ଼ୀ (ଭଞ୍ଜଦୂତ ଖବର)
ମାଲକାନଗିରି ଜିଲ୍ଲାର ମାଥିଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବେ ମୁରବି ବିହୀନ। ବିଡିଓ ପ୍ରମୋଦ କୁମାର ବେହେରାଙ୍କ ବଦଳିକୁ ପ୍ରାୟ ଏକ ମାସ ବିତିଯାଇଥିଲେ ମଧ୍ୟ ନୂତନ ବିଡିଓ ଏପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଫଳରେ ବ୍ଲକର ପ୍ରଶାସନିକ କାର୍ଯ୍ୟ ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଭବିଷ୍ୟତକୁ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି।ସୂଚନା ଅନୁଯାୟୀ, ମାଥିଲି ବ୍ଲକର ନୂତନ ବିଡିଓ ଭାବେ ମାଲକାନଗିରି ତହସିଲଦାର ଶ୍ରୀ ଦେବାଶିଷ ଜେନାଙ୍କୁ ଦାୟିତ୍ୱ ନେବାକୁ ସରକାରୀ ନିର୍ଦ୍ଦେଶ ଥିବା ସତ୍ତ୍ୱେ ସେ ଏପର୍ଯ୍ୟନ୍ତ ମାଥିଲିରେ ଯୋଗଦାନ କରିନାହାନ୍ତି। ତେବେ ନିର୍ଦ୍ଦେଶ ସତ୍ତ୍ୱେ ଯୋଗଦାନରେ ବିଳମ୍ବ କାହିଁକି? ଏହା ପଛରେ କ’ଣ କାରଣ ରହିଛି? ଏଭଳି ପ୍ରଶ୍ନ ଏବେ ମାଥିଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ଅନ୍ୟପକ୍ଷରେ ବିଡିଓଙ୍କ ଅନୁପସ୍ଥିତି ଯୋଗୁଁ ବିଭିନ୍ନ ସରକାରୀ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ, ବିଲ୍ ପ୍ରସ୍ତୁତି ଓ ଅନୁମୋଦନ ଭଳି ପ୍ରଶାସନିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏପରିକି ଠିକ୍ ସମୟରେ କାର୍ଯ୍ୟ ସମ୍ପନ୍ନ ନହେଲେ ସରକାରୀ ଅନୁଦାନଫେରିଯିବାର ଆଶଙ୍କାକୁ ମଧ୍ୟଏଡ଼ାଇଦିଆଯାଇନପାରେ।ଏବେ ପ୍ରଶ୍ନ ଉଠୁଛି, ମାଥିଲି ବ୍ଲକର ପ୍ରଶାସନିକ ମୁଖ୍ୟଙ୍କ ଯୋଗଦାନ ପାଇଁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ? ଜନସାଧାରଣଙ୍କ ସ୍ୱାର୍ଥ ଓ ବ୍ଲକର ବିକାଶମୂଳକ କାର୍ଯ୍ୟକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବ କି? ନା ଏମିତି ମୁରବି ବିହୀନ ହୋଇ ପଡ଼ିରହିବ ମାଥିଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ? ଏବେ ସମସ୍ତଙ୍କ ନଜର ଜିଲ୍ଲା ପ୍ରଶାସନର ପଦକ୍ଷେପ ଉପରେ।
