ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ତୁରୁମୁ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କଲେ ଉପଜିଲ୍ଲାପାଳ।
ଭଞ୍ଜନଗର,-୨୫/୧୦ (ପ୍ରଫୁଲ୍ଲ କୁମାର ମହାରଣା )
ଆଗାମୀ ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ଗୁରୁତ୍ୱ ଦେଇ ଭଞ୍ଜନଗରର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ତୁରୁମୁସ୍ଥିତ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରି ସେଠାକାର ପ୍ରସ୍ତୁତି ଓ ସ୍ଥିତି ସମୀକ୍ଷା କରିଥିଲେ। ଏହି ଅବସରରେ ଭଞ୍ଜନଗର ବିଡିଓ ଶ୍ରୀମତୀ ଭାରତୀ ଦେବୀଙ୍କ ସମେତ ଅନ୍ୟ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।
ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ବାତ୍ୟା ଆଶ୍ରୟସ୍ଥଳର ପ୍ରସ୍ତୁତି ଓ ଆବଶ୍ୟକୀୟ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଆଗାମୀ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଶ୍ରୟସ୍ଥଳକୁ ସମସ୍ତ ଦିଗରୁ ପ୍ରସ୍ତୁତ ରଖିବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଶ୍ରୟସ୍ଥଳରେ ପାନୀୟ ଜଳ, ଆଲୋକ, ପରିମଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବା ସହ ଜରୁରୀ ପରିସ୍ଥିତିରେ ଲୋକଙ୍କୁ ତୁରନ୍ତ ଆଶ୍ରୟ ପ୍ରଦାନ କରିବା ନିମନ୍ତେ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ବାତ୍ୟା ସମୟରେ କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ କୌଣସି ପରିସ୍ଥିତିରେ ବିପଦପୂର୍ଣ୍ଣ ଘରେ ରହିବାକୁ ନଦେଇ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳ କିମ୍ବା ନିର୍ଦ୍ଧାରିତ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଜନସାଧାରଣଙ୍କୁ ବାତ୍ୟା ସମ୍ପର୍କିତ ସତର୍କ ସୂଚନା ପ୍ରଦାନ, ଜନସଚେତନତା ସୃଷ୍ଟି ଏବଂ ସ୍ଥାନାନ୍ତର ପ୍ରକ୍ରିୟାରେ ସମସ୍ତ ସମ୍ପୃକ୍ତ କର୍ମଚାରୀଙ୍କୁ ସକ୍ରିୟ ରଖିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ସମ୍ଭାବ୍ୟ ବାତ୍ୟା ସମୟରେ ଜନସାଧାରଣଙ୍କ ଜୀବନର ସୁରକ୍ଷା ସର୍ବାଧିକ ପ୍ରାଥମିକତା ହୋଇଥିବାରୁ ସମସ୍ତ ବିଭାଗୀୟ ଅଧିକାରୀ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଆଗୁଆ ପ୍ରସ୍ତୁତି ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏଥିସହ ଭିଡିଓ କନଫରେନ୍ସ ଜରିଆରେ ଉପଖଣ୍ଡର ସମସ୍ତ ତହସିଲଦାର ଙ୍କ ସହ ଆଲୋଚନା କରି ସଜାଗ ରହିବା ଏବଂ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି ରଖିବାକୁ ଉପଜିଲ୍ଲାପାଳ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି।
