ତାଳଚେରରେ ବାଣ ଜବତକୁ ନେଇ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ! ଦୁଇଟି ମାମଲା ରୁଜୁ, ଜଣେ ଅଭିଯୁକ୍ତ ଅଟକ; ଅନ୍ୟ ଜଣେ ଫେରାର
ତାଳଚେର, ମନୋଜ ରାଉତ (ନିପ୍ର): ୨୧ ଅକ୍ଟୋବର: ପାର୍ବଣ ଋତୁରେ ବାଣ ବିକ୍ରି ଓ ବେଆଇନ ଭାବେ ବାଣ ଗଚ୍ଛିତ ରଖିବାକୁ ନେଇ ତାଳଚେର ପୋଲିସର ଚଢ଼ାଉ। ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ଗ୍ରାମରେ ଦୁଇଟି ପୃଥକ ମାମଲାରେ ମୋଟ ୫୫ ପ୍ୟାକେଟ୍ ବାଣ ଜବତ କରାଯାଇଛି। ଏହି ଘଟଣାରେ ପୋଲିସ ଦୁଇଟି ମାମଲା ରୁଜୁ କରିଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଧରିଛି ଏବଂ ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ଘଟଣାରେ ସନ୍ଥପଡ଼ା ଗ୍ରାମର ଜଗଦାନନ୍ଦ ସାହୁଙ୍କ ପୁଅ କାଳିଆ ଓରଫ ଅନିଲ ସାହୁଙ୍କଠାରୁ ବାଣ ଭର୍ତ୍ତି ୨୬ ପ୍ୟାକେଟ୍ ଜବତ କରାଯାଇଛି। ଏହି ମାମଲାରେ ତାଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି।
ସେହିପରି ଦ୍ୱିତୀୟ ଘଟଣାରେ ସନ୍ଥପଡ଼ା ଗ୍ରାମର ନାଥ ସାହୁଙ୍କ ପୁଅ ନାରାୟଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ୨୯ ପ୍ୟାକେଟ୍ ବାଣ ଜବତ କରାଯାଇଛି। ତେବେ ନାରାୟଣ ସାହୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଏହି ଦୁଇଟି ଘଟଣାକୁ ନେଇ ତାଳଚେର ଥାନାରେ କେସ୍ ନମ୍ବର ୧୧୫୫ ଓ ୧୧୫୬, ତାରିଖ ୨୧.୧୦.୨୦୨୬ରେ ଭାରତୀୟ ବିସ୍ଫୋରକ ଆଇନର ଧାରା ୯(ବି)(୧)(ବି) ଏବଂ ଫାୟାର ୱାର୍କ୍ସ ଆଣ୍ଡ ଲାଉଡ୍ସ୍ପିକର ଆଇନର ଧାରା ୫ ଅନୁଯାୟୀ ମାମଲା ରୁଜୁ ହୋଇଛି।
ବାଣ ଭଳି ବିସ୍ଫୋରକ ସାମଗ୍ରୀର ଗଚ୍ଛିତକରଣ ଓ ବିକ୍ରିକୁ ନେଇ ନିୟମ ଉଲ୍ଲଂଘନ ହେଉଥିଲେ ତାହା ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ। ତେଣୁ ଏଭଳି ଘଟଣା ଉପରେ ପୋଲିସର ନଜରଦାରି ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
