ରେଢ଼ାଖୋଲରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ, ବନବିଭାଗ କାର୍ଯ୍ୟଶୈଳୀ ନେଇ ଉଠିଲା ପ୍ରଶ୍ନ।
# ୮ ଦିନ ଧରି ଯନ୍ତ୍ରଣାରେ ଘୂରି ବୁଲୁଥିଲା ଦନ୍ତା, ଶେଷରେ ମୃତ୍ୟୁରେ ଶୟନ କଲେ ଗଜରାଜ।
# ରେଢ଼ାଖୋଲ ବନଖଣ୍ଡରେ ୨ ବର୍ଷ ମଧ୍ୟରେ ୭ ଟି ହାତୀ ମୃତ୍ୟୁ ବରଣ କରିଛନ୍ତି।
ରେଢ଼ାଖୋଲ ୧୮.୧୦(ଭଂଜଦୂତ ): ୮ ଦିନ ଧରି ଶିକାରୀର ଗୁଳିବିଦ୍ଧ ଅବସ୍ଥାରେ ଯନ୍ତ୍ରଣା ପାଇ ଜଙ୍ଗଲରେ ଘୁରି ବୁଲୁଥିଲା ଦନ୍ତା ହାତୀ, ଚିକିତ୍ସା ଅଭାବରୁ ଶେଷରେ ମୃତ୍ୟୁରେ ଶୟନ କଲେ ଗଜରାଜ, ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ବନାଞ୍ଚଳ ଅଧୀନ ଖେସଡା ଜଙ୍ଗଲରେ ଏକ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ ଘଟିଛି। ଗତ ୮ ଦିନ ଧରି ହାତୀଟି ଆହତ ଅବସ୍ଥା ଯନ୍ତ୍ରଣାରେ ଜଙ୍ଗଲରେ ଘୂରି ବୁଲୁଥିବା ବେଳେ ଆଜି ତାହାର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାକୁ ନେଇ ବନ୍ୟଜନ୍ତୁ ସୁରକ୍ଷା ଏବଂ ବନ ବିଭାଗର କାର୍ଯ୍ୟଶୈଳୀ ଉପରେ ସାଧାରଣତଃ ରେ ପ୍ରଶ୍ନ ଉଠିଛି। ଅନ୍ୟପଟେ ରେଢ଼ାଖୋଲ ବନଖଣ୍ଡ ରେ ୨ ବର୍ଷ ମଧ୍ୟରେ ୭ ଟି ହାତୀ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମୃତ ଦନ୍ତାହାତୀର ଆଗ ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡୁଛି। ଗତ ୮ ଦିନ ଧରି ହାତୀଟି ଆହତ ଅବସ୍ଥାରେ ଯନ୍ତ୍ରଣାରେ ଛୋଟେଇ ଛୋଟେଇ ଜଙ୍ଗଲରେ ଘୁରି ବୁଲୁଥିଲା। ହାତୀଟିକୁ ଠାବ କରି ଚିକିତ୍ସା ଯୋଗାଇଦେବା ପାଇଁ ବନ ବିଭାଗର ଦୁଇଟି ଟିମ୍ ଡ୍ରୋନ୍ କ୍ୟାମେରା ସହାୟତାରେ ଖୋଜାଖୋଜି କରି ନଜର ରଖିଥିଲେ।
ତେବେ ଦୀର୍ଘ ୮ ଦିନ ଧରି ଆହତ ଅବସ୍ଥାରେ ରହିବା ପରେ ଦନ୍ତାହାତୀର ମୃତ୍ୟୁ ହେବା ଘଟଣାରେ ଅଞ୍ଚଳରେ ଗ୍ରାମବାସୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ହାତୀଟିକୁ ସମୟୋଚିତ ଚିକିତ୍ସା ମିଳିଥିଲା କି ନାହିଁ, ଏବଂ ଉଦ୍ଧାର କାର୍ଯ୍ୟରେ କୌଣସି ଅବହେଳା ହୋଇଥିଲା କି ନାହିଁ, ତାହାର ତଦନ୍ତ ଦାବି କରାଯାଉଛି। ଅନ୍ୟପଟେ, ଦନ୍ତାହାତୀଟି ଶିକାରୀଙ୍କ ଗୁଳିରେ ଆହତ ହୋଇଥିବା ସନ୍ଦେହ କରାଯାଉଛି। ତେବେ ହାତୀଟିକୁ କିଏ ଏବଂ କେଉଁ ପରିସ୍ଥିତିରେ ଗୁଳି କରିଥିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଘଟଣାରେ ଦୋଷୀଙ୍କୁ ଚିହ୍ନଟ କରିବା ସହ ଆହତ ହାତୀର ଚିକିତ୍ସା ଓ ଉଦ୍ଧାର ପ୍ରକ୍ରିୟାରେ କୌଣସି ଅବହେଳା ହୋଇଥିଲେ ତାହାର ନିରପେକ୍ଷ ତଦନ୍ତ କରିବାକୁ ପରିବେଶପ୍ରେମୀ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି କରାଯାଇଛି।
