*ନୂଆପଡ଼ା ଜିଲ୍ଲାପାଳଙ୍କ ଖଡ଼ିଆଳ ଗସ୍ତ:ପ୍ରବାସୀ ଶ୍ରମିକ ସମସ୍ୟାର ନିରାକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଉନ୍ନତି ଉପରେ ଗୁରୁତ୍ୱ*
*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୧୫/୧୦:
ନୂଆପଡ଼ା ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଆଜି ଖଡ଼ିଆଳ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ପଞ୍ଚାୟତ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଜିଲ୍ଲାରେ ପ୍ରବାସୀ ଶ୍ରମିକ ସମସ୍ୟାର ନିରାକରଣ, ଗ୍ରାମାଞ୍ଚଳରେ ଜୀବିକାର ସୁଯୋଗ ସୃଷ୍ଟି ଏବଂ ଗୁଣାତ୍ମକ ଶିକ୍ଷା ଓ ଉନ୍ନତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
ଗସ୍ତ ଅବସରରେ ଜିଲ୍ଲାପାଳ ଖୁଦପେଜଠାରେ ଥିବା ପଞ୍ଚାୟତ ହାଟ ଓ ଉଦ୍ୟାନ ପରିଦର୍ଶନ କରିଥିଲେ। ପରେ ଭୋଜପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପଞ୍ଚାୟତ ପ୍ରତିନିଧି, ଏମ୍ବିକେ (MBK) ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ।
ପ୍ରବାସୀ ଶ୍ରମିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଓ ପଞ୍ଚାୟତ ପ୍ରତିନିଧିମାନେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ। ଗ୍ରାମାଞ୍ଚଳରେ ଜୀବିକାର ସୁଯୋଗ ସୃଷ୍ଟି କରିବା ସହ ଯୋଗ୍ୟ ଶ୍ରମିକମାନେ ସରକାରୀ ଯୋଜନା ଓ ସୁବିଧାର ଲାଭ ନେଇ ନିଜ ଅଞ୍ଚଳରେ ରୋଜଗାରର ସୁଯୋଗ ପାଇବା ଦିଗରେ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ।
ଏହାପରେ ଜିଲ୍ଲାପାଳ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ସେଠାରେ ଉପଲବ୍ଧ ସ୍ୱାସ୍ଥ୍ୟସେବାର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କରି ସ୍ମାର୍ଟ ବୋର୍ଡ ମାଧ୍ୟମରେ ଶିକ୍ଷାଦାନ ଓ ଆଧୁନିକ ଶିକ୍ଷା ପଦ୍ଧତିର ଉପଯୋଗ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସରକାରୀ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ସ୍ମାର୍ଟ କ୍ଲାସ୍ରୁମ୍ ବ୍ୟବସ୍ଥାର ବିକାଶ ସହ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ପରେ ସେ ବାଦୀସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲେ।
ଗସ୍ତ ସମୟରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ନନ୍ଦ, ସ୍ଥାନୀୟ ସରପଞ୍ଚ କୁଳମଣି ନାଏକ, ସହକାରୀ ଯନ୍ତ୍ରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
