*ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଢେଙ୍କାନାଳ ଜିଲ୍ଲାରେ ଏମଏସଏମଇ ସମ୍ବନ୍ଧୀୟ ଟାଉନ୍ ହଲ୍ ଠାରେ ସମ୍ମିଳନୀ* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )
ଢେଙ୍କାନାଳସ୍ଥିତ ନିରୂପମା ହୋଟେଲଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବେର ୧୩, ୨୦୨୬ ରିଖରେ ଏମଏସଏମଇ (MSME) ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ଉପରେ ଏକ ଟାଉନ୍ ହଲ୍ ଠାରେ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏମଏସଏମଇ ଉଦ୍ୟୋଗୀମାନଙ୍କ ମଧ୍ୟରେ ବ୍ୟାଙ୍କିଙ୍ଗ ସୁବିଧା ଏବଂ ଅନ୍ୟାନ୍ୟ ସରକାରୀ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା, ବ୍ୟାଙ୍କରୁ ଋଣ ପାଇବାରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ବିଷୟରେ ମତାମତ ଗ୍ରହଣ କରିବା ଏବଂ ସମସ୍ତ ଅଂଶୀଦାରଙ୍କ ସହଯୋଗରେ ଏହି ସମସ୍ୟାଗୁଡ଼ିକର ସମାଧାନ କରିବା। ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱରର ମହାପ୍ରବନ୍ଧକ ଶ୍ରୀ ଶୁଭ୍ରାଂଶୁ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ତଥା ଓଡ଼ିଶା ଏସଏଲବିସି ଆହ୍ୱାୟକ ଶ୍ରୀ ପ୍ରଣବ କୁମାର ବିଶ୍ବାସ, ଏସବିଆଇର ଉପ-ମହାପ୍ରବନ୍ଧକ ଶ୍ରୀ ପ୍ରଭାତ କୁମାର, ସିଡବି ର ସହାୟକ-ମହାପ୍ରବନ୍ଧକ ଶ୍ରୀ ଶାନ୍ତନୁ ନନ୍ଦ ଏବଂ ଢେଙ୍କାନାଳ ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରେମ ଚନ୍ଦ ମିଶ୍ର ଉପସ୍ଥିତ ଥିଲେ। ଏହା ସହିତ, ଦଶଟି ପ୍ରମୁଖ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଏବଂ ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଜିଲ୍ଲା ପରିଚାଳକ (LDM) ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜିଲ୍ଲାର ଏମଏସଏମଇ ସଂଘ ଏବଂ ୮୦ରୁ ଅଧିକ ଏମଏସଏମଇ ଉଦ୍ୟୋଗୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।
ଏହି ସମ୍ମିଳନୀରେ ବିଭିନ୍ନ ବକ୍ତାମାନେ ଏମଏସଏମଇ କ୍ଷେତ୍ରର ଆହ୍ୱାନ ଏବଂ ଦେଶରେ ଏକ ସମୃଦ୍ଧ ଏମଏସଏମଇ ବ୍ୟବସ୍ଥା ଗଠନ ପାଇଁ ଆରବିଆଇ ଓ ସରକାରଙ୍କ ଦ୍ୱାରା ନିଆଯାଇଥିବା ନୀତି ଏବଂ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଏମଏସଏମଇ ଉଦ୍ୟୋଗୀମାନେ ବ୍ୟାଙ୍କ ଋଣ, ମାର୍କେଟିଂ ଏବଂ ଭିତ୍ତିଭୂମି ଇତ୍ୟାଦି ସମ୍ବନ୍ଧୀୟ ସେମାନଙ୍କର ସମସ୍ୟା ଓ ଅସୁବିଧା ଗୁଡ଼ିକୁ ଉପସ୍ଥାପନ କରିଥିଲେ। ଏହିଭଳି କାର୍ଯ୍ୟକ୍ରମଗୁଡ଼ିକ ନୀତି ପ୍ରଣୟନ ପାଇଁ ଗୁରୁତ୍ୱପୂର୍ଣ୍ଣ ମତାମତ ପ୍ରଦାନ କରିବା ସହ ଏମଏସଏମଇ ୟୁନିଟଗୁଡ଼ିକର କ୍ଷେତ୍ରସ୍ତରୀୟ ସମସ୍ୟାର ଶୀଘ୍ର ସମାଧାନ କରିବାରେ ସହାୟକ ହୋଇଥାଏ। ଶେଷରେ ଅତିଥି ଏବଂ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଅର୍ପଣ ସହ ସମ୍ମିଳନୀଟି ସମାପ୍ତ ହୋଇଥିଲା।
