*ଖାରିଆର କଲେଜ ଅଫ୍ ନର୍ସିଂରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଓ ନବାଗତଙ୍କ ସ୍ୱାଗତ ସମାରୋହ*
ନୂଆପଡା(ମିଖାଏଲ ନନ୍ଦ)
ତା-୧୦/୧୦
ଖଡ଼ିଆଳ କଲେଜ ଅଫ୍ ନର୍ସିଂ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସହ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବୋଡ଼େନ କଲେଜର ଇଂରାଜୀ ଅଧ୍ୟାପକ ସାମୁଏଲ ଦାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଭାଲୁମୁଣ୍ଡା କଲେଜର ଅଧ୍ୟାପକ ସଞ୍ଜୀବ କୁମାର ମହାନ୍ତି, ଜୟଶ୍ରୀ ବିଶ୍ୱାଳ, ଖାରିଆରର ବରିଷ୍ଠ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମେହେର ଏବଂ ଖାରିଆର କଲେଜ ଅଫ୍ ନର୍ସିଂର ଟ୍ରଷ୍ଟି ବୁଦୁ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଅତିଥିମାନେ ନିଜ ବକ୍ତବ୍ୟରେ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ, ସକାରାତ୍ମକ ଚିନ୍ତାଧାରା, ଚାପମୁକ୍ତ ଜୀବନ ଏବଂ ମାନସିକ ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହାନୁଭୂତି ଓ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ବିଶେଷକରି ନର୍ସିଂ ବୃତ୍ତିରେ ରୋଗୀଙ୍କ ଶାରୀରିକ ସ୍ୱାସ୍ଥ୍ୟ ସହ ମାନସିକ ସୁସ୍ଥତାର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ କଲେଜରେ ନୂତନ ଭାବେ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ନୂତନ ଶିକ୍ଷାଜୀବନର ଶୁଭାରମ୍ଭ ସହ ସେମାନଙ୍କ ମଧ୍ୟରେ ଶୃଙ୍ଖଳା, ସେବା ମନୋଭାବ, ମାନବିକତା ଓ ଉତ୍ତମ ବୃତ୍ତିଗତ ମୂଲ୍ୟବୋଧ ଗଢ଼ିତୋଳିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କଲେଜର ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ସମାରୋହଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ଶିକ୍ଷା ସହିତ ମାନସିକ ସ୍ୱାସ୍ଥ୍ୟ ସଚେତନତା ଓ ମାନବସେବାର ବାର୍ତ୍ତା ପ୍ରସାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
