ତାଳଚେର ବେଆଇନ ବାଲି ଉତ୍ତୋଳନ ମାମଲା: NGTଙ୍କ ବଡ଼ ଝଟକା, ମୁଖ୍ୟ ସଚିବଙ୍କ ସମେତ ୮ ଅଧିକାରୀଙ୍କୁ ୨ ଲକ୍ଷ ଜରିମାନା
*ତାଳଚେର, ୦୭/୧୦ :* ଅନୁଗୁଳ ଜିଲ୍ଲା ତାଳଚେର ଗୋପୀନାଥପୁର ବାଲି ଖାଦାନରେ ନିର୍ଦ୍ଧାରିତ ସୀମା ବାହାରେ ବେଆଇନ ବାଲି ଉତ୍ତୋଳନ ମାମଲାରେ ଜାତୀୟ ସବୁଜ ଟ୍ରିବୁନାଲ (NGT) ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ତାଳଚେରର ପରିବେଶ ସୁରକ୍ଷା ସଂଗଠନ *’Youth United for Sustainable Environment Trust’* ତରଫରୁ ଦାୟର ମାମଲା *(O.A. No. 47/2024/EZ)* ର ଶୁଣାଣି ଗତ ୨୮ ସେପ୍ଟେମ୍ବର ୨୦୨୬ରେ NGT କୋଲକାତା ଇଷ୍ଟର୍ଣ୍ଣ ଜୋନ୍ ବେଞ୍ଚରେ ହୋଇଥିଲା। ଜଷ୍ଟିସ ଅରୁଣ କୁମାର ତ୍ୟାଗୀଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।
*କୋର୍ଟରେ ହାଜର ନହେବାରୁ କଡା ଆଭିମୁଖ୍ୟ -*
NGTଙ୍କ ଅର୍ଡର କପି (Item No. 09) ଅନୁସାରେ, ଏହି ମାମଲାର ପ୍ରାରମ୍ଭିକ କିଛି ଶୁଣାଣିରେ ରାଜ୍ୟ ସରକାରଙ୍କ ଓକିଲ ହାଜର ହେଉଥିଲେ ମଧ୍ୟ ଶେଷ କିଛି ଶୁଣାଣିରେ Respondent No. 1 ରୁ 3 ଏବଂ 5 ରୁ 9 ପର୍ଯ୍ୟନ୍ତ କୌଣସି ଅଧିକାରୀ କିମ୍ବା ତାଙ୍କ ଓକିଲ ହାଜର ହୋଇନଥିଲେ।
ଏହାକୁ ଗୁରୁତର ଅବହେଳା ବୋଲି ଦର୍ଶାଇ NGT କହିଛନ୍ତି, “ଏହା କୌଣସି ସାଧାରଣ ମୋକଦ୍ଦମା ନୁହେଁ ଯେ ବିବାଦୀ ଅନୁପସ୍ଥିତ ରହି ଏକପାଖିଆ ରାୟ ଭୋଗିବେ। ପରିବେଶ ନିୟମ ପାଳନ କରିବା ପାଇଁ ରାଜ୍ୟ ସରକାର ଓ ଏହାର ସମସ୍ତ ଅଙ୍ଗ ସାମ୍ବିଧାନିକ ଓ ବୈଧାନିକ ଭାବେ ବାଧ୍ୟ।”
ଏହି ଅବହେଳା ପାଇଁ କୋର୍ଟ ୮ ଜଣ ବଡ଼ ଅଧିକାରୀଙ୍କୁ ମୋଟ *୨ ଲକ୍ଷ ଟଙ୍କା, ଅର୍ଥାତ୍ ଜଣ ପିଛା ୨୫ ହଜାର* ଟଙ୍କା ଲେଖାଏଁ ଜରିମାନା କରିଛନ୍ତି।
*ଯେଉଁ ୮ ଅଧିକାରୀଙ୍କୁ ଜରିମାନା ହୋଇଛି -*
୧. ଓଡ଼ିଶାର ମୁଖ୍ୟ ସଚିବ
୨. ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ
୩. ଖଣି ନିର୍ଦ୍ଦେଶାଳୟର ଉପ-ନିର୍ଦ୍ଦେଶକ, ତାଳଚେର ସର୍କଲ
୪. ଅନୁଗୁଳ RTO
୫. ତାଳଚେର ତହସିଲଦାର
୬. ପାଲଲହଡ଼ା ତହସିଲଦାର
୭. ଅନୁଗୁଳ SP
୮. ତାଳଚେର ଥାନା IIC
ଗୋପୀନାଥପୁର ବ୍ରାହ୍ମଣୀ ନଦୀ ପଠାରୁ ସରକାରୀ ନିୟମ ଓ ପରିବେଶ ମଞ୍ଜୁରୀ ବାହାରେ ବାଲି ଲୁଟ୍ ହେଉଥିବା ଅଭିଯୋଗରେ ଏହି ମାମଲା ଦାୟର ହୋଇଥିଲା।
ବ୍ୟୁରୋ ହେଡ଼ ଶୁଭାଶିଷ ଚୌଧୂରୀଙ୍କ ରିପୋର୍ଟ ଭଞ୍ଜଦୂତ ଖବର
