୧୮ ତାରିଖରେ ଲୋହରାଖଣ୍ଡି ସାହିତ୍ୟ ସଂସଦର ୨୪ତମ ପ୍ରତିଷ୍ଠା ଦିବସ
ଭଞ୍ଜନଗର : ୦୭/୧୦ (ପ୍ରଫୁଲ୍ଲ କୁମାର ମହାରଣା )ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦ ତାର ୨୪ତମ ପ୍ରତିଷ୍ଠା ଦିବସ ଆସନ୍ତା ୧୮ ତାରିଖରେ ପାଳନ କରିବାକୁ ଯାଉଛି। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପ୍ରେସ କ୍ଲବ ଠାରେ ସଂସଦର ଉପ-ସଭାପତି ଶ୍ରୀମତୀ ରୀତାରାଣୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସହସମ୍ପାଦିକା ଲୋପାମୁଦ୍ରା ରଥ ସ୍ୱାଗତ ଜଣାଇବା ପରେ ସାଙ୍ଗଠନିକ ସମ୍ପାଦିକା କଳ୍ପନା କୁମାରୀ ପ୍ରଧାନ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ୧୮ ତାରିଖ ରବିବାର ଦିନ ଅନୁଷ୍ଠାନର ୨୪ତମ ପ୍ରତିଷ୍ଠା ଦିବସ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ଲୋହରାଖଣ୍ଡି’ର ପୂଜା ସଂଖ୍ୟା ଉନ୍ମୋଚିତ ହେବା ସହିତ ସଂସଦର ପ୍ରକାଶନ ବିଭାଗରୁ ୫ଗୋଟି ପୁସ୍ତକ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି। ଲୋପାମୁଦ୍ରା ରଥଙ୍କ କବିତା ସଂକଳନ ‘ସ୍ୱପ୍ନର କୁସୁମମାଳା’, ଡକ୍ଟର ପ୍ରଦୀପ କୁମାରୀ ସ୍ୱାଇଁଙ୍କ ପ୍ରବନ୍ଧ ସଂକଳନ ‘ପୂଣ୍ୟଭୂମିର ସ୍ୱର୍ଣ୍ଣିମ ଗାଥା’, ଖଦାଳ ନାୟକଙ୍କ ପ୍ରବନ୍ଧ ସଂକଳନ ‘ଘୁମୁସରର ଅସ୍ମିତା ଓ ଐତିହ୍ୟ’, ବୁଲୁ ବେହେରାଙ୍କ କବିତା ସଂକଳନ ‘ମାତୃଶକ୍ତିର ତ୍ରିବେଣୀ ଧାରା’, ପିତାମ୍ବର ପରିଡ଼ାଙ୍କ କବିତା ସଂକଳନ ଉନ୍ମୋଚିତ ହେବ। ସ୍ମୃତି ସମ୍ମାନରେ ରୋଟରିଆନ ରଞ୍ଜିତ କୁମାର ବାରିକଙ୍କୁ ‘ଲୋକବନ୍ଧୁ ସଚ୍ଚିଭାଇ ସ୍ମୃତି ସମ୍ମାନ’, ଡକ୍ଟର ଉଷା ପାଢ଼ୀଙ୍କୁ ‘କବି ରବି ଜେନା ସ୍ମୃତି ସମ୍ମାନ’, ଏସ୍. ଦୁର୍ଗାମାଧବ ଆଚାରୀଙ୍କୁ ‘ଦିବାକର ସ୍ୱାଇଁ ସ୍ମୃତି ସମ୍ମାନ’, ଶ୍ରୀମତୀ ଗୀତାଞ୍ଜଳି ବେହେରାଙ୍କୁ ‘ନୟନାଦେବୀ ସ୍ମୃତି ସମ୍ମାନ’, ଧର୍ମାନନ୍ଦ ମହାରଣାଙ୍କୁ ‘କୃଷ୍ଣଚନ୍ଦ୍ର ଆରୁଖ ସ୍ମୃତି ସମ୍ମାନ’ ୨୦୨୬ରେ ପ୍ରଦାନ କରାଯିବା ନିମନ୍ତେ ଘୋଷଣା କରାଗଲା। ପୂର୍ବରୁ କବିତା ଓ ଗଳ୍ପ ପ୍ରତିଯୋଗିତାରେ ୧୮ଜଣଙ୍କୁ ‘ଯୁବ ଜ୍ୟୋତି ସମ୍ମାନ-୨୦୨୬’ ପ୍ରଦାନ କରିବା ସହିତ ଡ଼. ପ୍ରଦୀପ କୁମାର ସ୍ୱାଇଁଙ୍କୁ ‘ଲୋହରାଖଣ୍ଡି ପ୍ରବନ୍ଧ ସମ୍ମାନ’, ଶ୍ରେଷ୍ଠ ଉପସ୍ଥାପକ ସମ୍ମାନ ଗୋପୀନାଥ ସେଠୀ ସମେତ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରସ୍ତୁତ ବୈଠକରେ ଅନ୍ୟତମ ଉପସଭାପତି ପବିତ୍ର ମୋହନ ରାଉତରାୟ, ସ୍ନେହଲତା ବିଷୋୟୀ, ଆଇନ ପରାମର୍ଶ ଦାତା ବିମ୍ବାଧର ଷଡ଼ଙ୍ଗୀ, ସାଙ୍ଗଠନିକ ସମ୍ପାଦିକା କଳ୍ପନା କୁମାରୀ ପ୍ରଧାନ, ସହ ସମ୍ପାଦିକା ରଞ୍ଜୁଲତା ବେହେରା, ସୁନୀଲ କୁମାର ପାଣି, ମିଡ଼ିଆ ସଂଯୋଜକ ରଞ୍ଜିତ ଜେନା, ଅରକ୍ଷିତ ପରିଚ୍ଛା ସହିତ ସମସ୍ତ ସଦସ୍ୟସଦସ୍ୟାମାନେ ଉପସ୍ଥିତ ଥିଲେ। ଶେଷରେ ଶ୍ରୀମତୀ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।
