ଇଞ୍ଜେକ୍ସନ ପରେ ବିଗିଡ଼ିଲା ୪୦ରୁ ଅଧିକ ମହିଳା ରୋଗୀଙ୍କ ସ୍ୱାସ୍ଥ୍ୟଗୁରୁତର ରୋଗୀ ବ୍ରହ୍ମପୁର ରେଫର, ଅନେକଙ୍କୁ ଅକ୍ସିଜେନ ସହାୟତା।
କନ୍ଧମାଳ :ଫୁଲବାଣୀ, (ନି.ପ୍ର )୫/୧୦:
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ମେଡିକାଲ କଲେଜର ମହିଳା ଭେଷଜ ୱାର୍ଡରେ ଇଞ୍ଜେକ୍ସନ ଦିଆଯିବା ପରେ ଏକାଥରେ ୪୦ରୁ ଅଧିକ ମହିଳା ରୋଗୀ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସୂଚନା ଅନୁସାରେ, ଶୁକ୍ରବାର ସକାଳ ପ୍ରାୟ ୬ଟା ୩୦ ମିନିଟ୍ ସମୟରେ ମହିଳା ୱାର୍ଡରେ ଥିବା ରୋଗୀମାନଙ୍କୁ ଏକ ଇଞ୍ଜେକ୍ସନ ଦିଆଯାଇଥିଲା। ଇଞ୍ଜେକ୍ସନ ଦିଆଯିବାର କିଛି ସମୟ ପରେ ଅନେକ ରୋଗୀଙ୍କ ଶରୀରରେ ଅସ୍ୱାଭାବିକ ପ୍ରତିକ୍ରିୟା ଦେଖାଦେଇଥିବା ରୋଗୀଙ୍କ ସମ୍ପର୍କୀୟମାନେ କହିଛନ୍ତି। କେତେକ ରୋଗୀଙ୍କୁ ବାନ୍ତି, ଜ୍ୱର, ଶରୀରରେ କମ୍ପନ, ଛାତି ଧଡ଼ଧଡ଼ ଏବଂ ଶ୍ୱାସକଷ୍ଟ ଭଳି ସମସ୍ୟା ଦେଖାଦେଇଥିବା ଅଭିଯୋଗ ହୋଇଛି। ପରିସ୍ଥିତି ଗୁରୁତର ହେବାରୁ କିଛି ରୋଗୀଙ୍କୁ ଅକ୍ସିଜେନ ସହାୟତା ଦିଆଯାଇଥିବା ବେଳେ ଜଣେ ଗୁରୁତର ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର କରାଯାଇଥିବା ଜଣାପଡ଼ିଛି।
ଏହି ଘଟଣାରେ ଦମୟନ୍ତୀ ଦିଗାଲ ନାମକ ଜଣେ ବି.ଏସସି. ନର୍ସିଂ ଛାତ୍ରି ଅସୁସ୍ଥ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି।
