ଅଙ୍ଗନୱାଡ଼ି ଛାତ୍ରଛାତ୍ରୀ ସରକାରଙ୍କ ଆଢୁଆଳରେ!
ଜରାଜୀର୍ଣ୍ଣ କେନ୍ଦ୍ର ଯୋଗୁଁ ୫ ମାସ ହେଲା ଜଙ୍ଗଲ ରାସ୍ତାରେ ୨ କିଲୋମିଟର ଚାଲୁଛନ୍ତି କୁନିକୁନି ପିଲା।
ବାଲିଗୁଡ଼ା, ୩/୧୦/୨୦୨୬ (ନି. ପ୍ର ):
କୁନିକୁନି ପିଲାଙ୍କ ଶିକ୍ଷା ଓ ସୁରକ୍ଷା ପ୍ରତି ସରକାର ଗୁରୁତ୍ୱ ଦେଉଥିବା କଥା କୁହାଯାଉଥିବା ବେଳେ ବାଲିଗୁଡ଼ା ସହରରେ ଏହାର ଏକ ବିପରୀତ ଚିତ୍ର ସାମ୍ନାକୁ ଆସିଛି। ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ଜରାଜୀର୍ଣ୍ଣ ହୋଇପଡ଼ିଥିବାରୁ ଗତ ପ୍ରାୟ ୫ ମାସ ଧରି କୁନିକୁନି ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ପ୍ରାୟ ୨ କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଯାତାୟାତ କରିବାକୁ ପଡ଼ୁଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନମ୍ବର ୱାର୍ଡ ଅନ୍ତର୍ଗତ କଟପଡ଼ିରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ଗୃହଟି ଦୀର୍ଘଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଫଳରେ କେନ୍ଦ୍ରରେ ପଢ଼ୁଥିବା ଛୋଟ ଛୋଟ ପିଲାଙ୍କୁ ଅନ୍ୟତ୍ର ଯିବାକୁ ପଡ଼ୁଛି। ଏଥିପାଇଁ ସେମାନେ ପ୍ରତିଦିନ ପ୍ରାୟ ୨ କିଲୋମିଟର ରାସ୍ତା ଚାଲି ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଉଥିବା ଅଭିଯୋଗ ହୋଇଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି ରାସ୍ତାର ଏକ ବଡ଼ ଅଂଶ ଜଙ୍ଗଲ ମଧ୍ୟଦେଇ ଯାଇଛି। କୁନିକୁନି ପିଲାମାନେ ପ୍ରତିଦିନ ଏଭଳି ରାସ୍ତାରେ ଚାଲିବା ସମୟରେ ଯଦି କୌଣସି ଅଘଟଣ ଘଟେ, ତେବେ ଏଥିପାଇଁ ଦାୟୀ କିଏ ରହିବ—ସେନେଇ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଜଣେ ବୟସ୍କ ବ୍ୟକ୍ତିଙ୍କ ପାଇଁ ମଧ୍ୟ ୧ କିଲୋମିଟର ରାସ୍ତା ଚାଲିବା କଷ୍ଟକର ହୋଇଥିବା ବେଳେ, ଅଙ୍ଗନୱାଡ଼ି ବୟସର ଛୋଟ ପିଲାଙ୍କୁ ପ୍ରତିଦିନ ୨ କିଲୋମିଟର ଚଲାଇବା କେତେଦୂର ଯୁକ୍ତିଯୁକ୍ତ, ତାହାକୁ ନେଇ ପ୍ରଶ୍ନ ଉଠିଛି। ସରକାର ଶିଶୁମାନଙ୍କ ପାଇଁ ନିରାପଦ ଓ ଶିଶୁ-ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ବିଭିନ୍ନ ଯୋଜନା ଓ ବ୍ୟବସ୍ଥା କରୁଥିବା ବେଳେ, କଟପଡ଼ିର ଏହି ଘଟଣା ସେସବୁ ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ନେଇ ପ୍ରଶ୍ନ ଉଠାଇଛି। ଦୀର୍ଘ ୫ ମାସ ଧରି ପିଲାମାନେ ଏଭଳି ଦୁର୍ଦ୍ଦଶା ଭୋଗୁଥିବା ସତ୍ତ୍ୱେ ସମ୍ପୃକ୍ତ ବିଭାଗ ପକ୍ଷରୁ ସ୍ଥାୟୀ ସମାଧାନ କାହିଁକି ହୋଇପାରୁନାହିଁ, ତାହା ଏବେ ବଡ଼ ପ୍ରଶ୍ନ।
ଅଙ୍ଗନୱାଡ଼ି କେନ୍ଦ୍ର ମରାମତି କିମ୍ବା ନୂତନ ଗୃହ ନିର୍ମାଣ ନହେଲେ ଅତିକମରେ ପିଲାମାନଙ୍କ ପାଇଁ ନିକଟସ୍ଥ ସୁରକ୍ଷିତ ବିକଳ୍ପ ବ୍ୟବସ୍ଥା କରାଯାଇପାରିଥାନ୍ତା। କିନ୍ତୁ ଏତେ ଦିନ ପରେ ମଧ୍ୟ ସେଭଳି ବ୍ୟବସ୍ଥା ହୋଇନଥିବାରୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ପ୍ରଶ୍ନ ଉଠୁଛି। ଅଙ୍ଗନୱାଡ଼ି କେନ୍ଦ୍ରର ମରାମତି ପାଇଁ ଆସୁଥିବା ସରକାରୀ ଅନୁଦାନ ଓ ଶିଶୁ ବିକାଶ ସମ୍ବନ୍ଧୀୟ ବିଭିନ୍ନ ଯୋଜନାର ଅର୍ଥ କିପରି ବ୍ୟବହାର ହେଉଛି, ତାହାର ମଧ୍ୟ ସ୍ୱଚ୍ଛ ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ହେଉଛି। ଏତେ ଛୋଟ ପିଲାଙ୍କ ସୁରକ୍ଷା ସହ ଜଡ଼ିତ ଏଭଳି ଏକ ସମ୍ବେଦନଶୀଳ ଘଟଣା ଉପଖଣ୍ଡ କିମ୍ବା ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆସିନଥିବା ନେଇ ମଧ୍ୟ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହି ଖବର ପ୍ରଚାର ପ୍ରସାର ପରେ ପ୍ରଶାସନ କେତେ ଶୀଘ୍ର ଏହି ସମସ୍ୟାର ସମାଧାନ କରୁଛି ଏବଂ କୁନିକୁନି ଛାତ୍ରଛାତ୍ରୀଙ୍କ ପାଇଁ କେବେ ସୁରକ୍ଷିତ ଅଙ୍ଗନୱାଡ଼ି ବ୍ୟବସ୍ଥା ହେଉଛି, ତାହା ଦେଖିବାକୁ ବାକି ରହିଲା।
