*ତିନି ଦନ୍ତା ହାତୀଙ୍କ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ, ଚାଷୀ ଆତଙ୍କିତ*।
ନୂଆପଡା(ମିଖାଏଲ ନନ୍ଦ) ତା:୦୪.୧୦.
ନୂଆପଡ଼ା ଜିଲ୍ଲାରେ ସିନାପାଲି ଅଞ୍ଚଳ ରେ ହାତୀ ଆତଙ୍କ। ବଲାଙ୍ଗୀର ଅଞ୍ଚଳରୁ ଆସିଥିବା ତିନିଟି ଦନ୍ତା ହାତୀ ବୋଡେନ ରେଞ୍ଜ ଅଞ୍ଚଳ ଦେଇ ସିନାପାଲି ରେଞ୍ଜରେ ପ୍ରବେଶ କରିଛନ୍ତି। ହାତୀପଲ ଭୀମାପଦର, ଉପରପିଟା ଓ ବର୍ତ୍ତନଶୀଳ ଅଞ୍ଚଳ ଦେଇ ମହୁଳପଡ଼ା, ଜାମଗାଁ ଓ ଆଖପାଖ ଅଞ୍ଚଳରେ ପହଞ୍ଚିଥିବା ଜଣାପଡ଼ିଛି।
ସିନାପାଲି ରେଞ୍ଜରେ ପ୍ରବେଶ କରିବା ପରେ ହାତୀପଲ ବିଭିନ୍ନ ଚାଷଜମିରେ ପଶି ଧାନ ଓ ପନିପରିବା ଫସଲ ନଷ୍ଟ କରିଛନ୍ତି। ହାତୀଙ୍କ ଉପଦ୍ରବରେ ଅନେକ ଚାଷୀଙ୍କ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏଥିସହ ହାତୀପଲ ଗାଁ ନିକଟରେ ବୁଲୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିଛି। ସିନାପାଲି ବନ ବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ବନ କର୍ମଚାରୀମାନେ ହାତୀପଲର ଗତିପଥ ନିରୀକ୍ଷଣ କରିବା ସହ ଅଞ୍ଚଳରେ ପାଟ୍ରୋଲିଂ ଜାରି ରଖିଛନ୍ତି। ହାତୀମାନଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲ ଆଡ଼କୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।
ଅନ୍ୟପକ୍ଷରେ, ହାତୀଙ୍କ ଦ୍ୱାରା ନଷ୍ଟ ହୋଇଥିବା ଧାନ ଓ ପନିପରିବା ଫସଲର ତୁରନ୍ତ କ୍ଷୟକ୍ଷତି ଆକଳନ କରି ପ୍ରଭାବିତ ଚାଷୀମାନଙ୍କୁ ଉଚିତ୍ କ୍ଷତିପୂରଣ ଓ ସହାୟତା ପ୍ରଦାନ କରିବାକୁ ଚାଷୀ ଓ ଗ୍ରାମବାସୀମାନେ ପ୍ରଶାସନ ଏବଂ ବନ ବିଭାଗ ନିକଟରେ ଦାବି କରିଛନ୍ତି।
