ଦରମା ଲକ୍ଷେ, ଖର୍ଚ୍ଚ ଶୂନ: ସରକାରୀ ବିଦ୍ୟୁତରେ ଗଡ଼ୁଛି ବାବୁଙ୍କ ‘ଇ-ବାଇକ୍’, ରୋଗୀଙ୍କୁ ମିଳୁନି ନେବୁଲାଇଜର୍
ବେତନଟୀ, ୨/୧୦: ରାଜ୍ୟ ରାଜକୋଷରୁ ପ୍ରତିମାସରେ ମୋଟା ଅଙ୍କର ଦରମା ନେଉଛନ୍ତି, କିନ୍ତୁ ନିଜ ଘରର ବିଜୁଳି ବିଲ୍ ବଞ୍ଚାଇବାକୁ ସରକାରୀ ସମ୍ପତ୍ତିକୁ ବ୍ୟକ୍ତିଗତ ମାଲିକାନା ଭାବେ ବ୍ୟବହାର କରୁଛନ୍ତି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କିଛି ବାବୁଙ୍କ ଏଭଳି କାର୍ଯ୍ୟକଳାପ ଏବେ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ସାଧାରଣ ଲୋକଙ୍କ ଟିକସ ପଇସାରେ ଚାଲୁଥିବା ସରକାରୀ ଦପ୍ତରଗୁଡ଼ିକ ଏବେ ଅଧିକାରୀ ଓ କର୍ମଚାରୀଙ୍କ ବ୍ୟକ୍ତିଗତ ଇ-ବାଇକ୍ ଚାର୍ଜିଂ ଷ୍ଟେସନରେ ପରିଣତ ହୋଇଛି।
ଏହି ଅଭ୍ୟାସ କୌଣସି ଗୋଟିଏ କି ଦୁଇ ଦିନର ନୁହେଁ, ବରଂ ବର୍ଷର ୧୨ ମାସ ପ୍ରାୟ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି। ବେତନଟୀ କଲେଜ ଓ ପୋଲିସ ଉପଖଣ୍ଡ ଅଧିକାରୀଙ୍କ (ଏସଡିପିଓ) କାର୍ଯ୍ୟାଳୟ ନିକଟସ୍ଥ ଜିଲ୍ଲା କୃଷି କାର୍ଯ୍ୟାଳୟ ଏବଂ ବେତନଟୀ ବ୍ଲକ କୃଷି କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ନିତିଦିନିଆ ହୋଇପଡ଼ିଛି। ଅଧିକାରୀମାନେ ଅଫିସ ଆସିବା କ୍ଷଣି ନିଜ ବ୍ୟକ୍ତିଗତ ବୈଦ୍ୟୁତିକ ଦୁଇଚକିଆ ଯାନଗୁଡ଼ିକୁ ସରକାରୀ ପ୍ଲଗ୍ ପଏଣ୍ଟରେ ଲଗାଇ ଦେଉଛନ୍ତି। ସରକାରୀ ତହବିଲ୍ରୁ ବିଦ୍ୟୁତ୍ ବିଲ୍ ପଇଠ ହେଉଥିବାରୁ ଏହି କର୍ମଚାରୀମାନେ ଟିକିଏ ହେଲେ ସଂକୋଚ ବୋଧ କରୁନାହାନ୍ତି।
ଅନ୍ୟପଟେ ସବୁଠାରୁ ଦୁର୍ଭାଗ୍ୟଜନକ ଚିତ୍ର ସାମ୍ନାକୁ ଆସିଛି ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ। ଏହି ଡାକ୍ତରଖାନାରେ କର୍ମଚାରୀଙ୍କ ଗାଡ଼ି ଚାର୍ଜ ପାଇଁ ବିଜୁଳିର ଅଭାବ ନଥିବା ବେଳେ ଗୁରୁତର ରୋଗୀଙ୍କ ଜୀବନ ସହ ଖେଳ ଖେଳାଯାଉଛି। ଡାକ୍ତରଖାନାରେ ଅଧଡର୍ଜନ ଇନଭର୍ଟର ଓ ଏକ ଶକ୍ତିଶାଳୀ ଜେନେରେଟର ମହଜୁଦ ଥିବା ସତ୍ତ୍ୱେ ବିଜୁଳି ଚାଲିଗଲେ ତାହା ଚାଲୁ କରାଯାଉନାହିଁ। ଶ୍ୱାସକ୍ରିୟାରେ କଷ୍ଟ ପାଉଥିବା ଛୋଟ ପିଲା ଓ ବୃଦ୍ଧ ରୋଗୀଙ୍କୁ ନେବୁଲାଇଜର ଦେବା ପାଇଁ ବିଦ୍ୟୁତ ନଥିବା ଆଳ ଦେଖାଇ ଘଣ୍ଟା ଘଣ୍ଟା ଅପେକ୍ଷା କରାଯାଉଛି। ବାବୁଙ୍କ ସୁବିଧା ପାଇଁ ସବୁ ନିୟମ ଶିଥିଳ, ମାତ୍ର ମୁମୂର୍ଷୁ ରୋଗୀଙ୍କ ପାଇଁ ବ୍ୟବସ୍ଥା ନିରବ। ଏହି ସମଗ୍ର ଘଟଣା ଓଡ଼ିଶା ସରକାରଙ୍କ ତଥାକଥିତ ସ୍ୱଚ୍ଛ ଶାସନ ଓ ଉତ୍ତରଦାୟିତ୍ୱ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲ୍ଲା ପ୍ରଶାସନର ଆଖି ଆଗରେ ସରକାରୀ ସମ୍ବଳର ଏଭଳି ଖୋଲାଖୋଲି ଅପବ୍ୟବହାର ଚାଲିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ରହସ୍ୟଜନକ ଭାବେ ନୀରବତା ଅବଲମ୍ବନ କରିଛି। ସରକାରୀ ଚାକିରିର ସୁଯୋଗ ନେଇ ନିଜ ପକେଟ୍ ଗରମ ରଖିବା ଏବଂ ଜନସାଧାରଣଙ୍କ ମୌଳିକ ସେବାକୁ ଅଣଦେଖା କରିବା କେବଳ ନୈତିକତାର ଅଧୋପତନ ନୁହେଁ, ବରଂ କର୍ତ୍ତବ୍ୟରେ ଚରମ ଖିଲାପ। ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମ୍ପୃକ୍ତ କାର୍ଯ୍ୟାଳୟଗୁଡ଼ିକ ଉପରେ ଚଢ଼ାଉ କରିବା ସହ ଏଭଳି ଅମାନିଆ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ।
