ବାଘମରାରେ ପାହାଡ଼ ଭଳି ବେଆଇନ ବାଲି ଡିପୋ, ବେତନଟୀରେ ୧୨ ଚକିଆ ହାଇୱା ଜବତ: ନିଘୋଡ଼ ନିଦ୍ରାରେ ଖଣି ବିଭାଗ।
ବେତନଟୀ, ୨/୧୦: ମୟୂରଭଞ୍ଜ ଜିଲ୍ଲାରେ ଖଣିଜ ସମ୍ପଦର ସୁରକ୍ଷା ଓ ବେଆଇନ ବାଲି ଚାଲାଣ ରୋକିବା ନେଇ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର କଠୋର ଆଭିମୁଖ୍ୟ ପୁଣି ଥରେ କାଗଜପତ୍ରରେ ସୀମିତ ଥିବା ପ୍ରମାଣିତ ହୋଇଛି। ନଦୀରୁ ବନ୍ୟା ପାଣି ଛାଡ଼ିବା କ୍ଷଣି ବଡ଼ସାହି ତହସିଲ ଅଞ୍ଚଳରେ ବାଲି ମାଫିଆମାନେ ଉତ୍ପାତ ଆରମ୍ଭ କରିଦେଇଥିବା ବେଳେ ବେତନଟୀ ପୁଲିସ ଦ୍ୱାରା ଏକ ବାଲି ବୋଝେଇ ହାଇୱା ଜବତ ହେବା ଘଟଣା ସ୍ଥାନୀୟ ବଡ଼ସାହି ପ୍ରଶାସନ ଓ ଖଣି ବିଭାଗର ଚରମ ଅପାରଗତାକୁ ଖୋଲାଖୋଲି ପଦାରେ ପକାଇଛି।
ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଦିନ ଦ୍ୱିପ୍ରହରରେ ବାଲେଶ୍ୱର ଅଭିମୁଖେ ବେଆଇନ ଭାବେ ବାଲି ନେଇ ଯାଉଥିବା ଏକ ୧୨ ଚକିଆ ହାଇୱା (ଓଡି-୦୪ଆର-୫୨୫୫) କୁ ବେତନଟୀ ବଙ୍ଗଳା ଛକ ନିକଟରେ ପାଟ୍ରୋଲିଂ କରୁଥିବା ପୁଲିସ ଟିମ୍ ଅଟକାଇଥିଲା। ବେତନଟୀ ଥାନା ଆଇଆଇସି କ୍ରିଷ୍ଣା ପିଙ୍ଗୁଆଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଗାଡ଼ିଟିକୁ ଜବତ କରି ଥାନାକୁ ଅଣାଯାଇଥିଲା। ଉକ୍ତ ହାଇୱାଟି ବୈଶିଙ୍ଗା ଥାନା ଅଧୀନ ଟିକାୟତପୁର ଗ୍ରାମର ଗଜେନ୍ଦ୍ରନାଥ ସାହୁଙ୍କ ପୁଅ ଭବେଶ କୁମାର ସାହୁଙ୍କ ନାମରେ ପଞ୍ଜିକୃତ ଥିବା ଜଣାପଡ଼ିଛି। ଏ ନେଇ ବେତନଟୀ ଥାନାରେ କେସ୍ ନମ୍ବର ୩୮୮/୨୦୨୬ ରୁଜୁ ହେବା ସହ ଗାଡ଼ି ଚାଳକ ବୈଶିଙ୍ଗା ଥାନା ପଦ୍ମନାଭପୁର ଗ୍ରାମର ଶ୍ୟାମ ସିଂଙ୍କ ପୁଅ ସୁନ୍ଦର ସିଂ (୨୯) ଙ୍କୁ ଗିରଫ କରାଯାଇଛି।
ଅନ୍ୟପକ୍ଷରେ, ବଡ଼ସାହି ତହସିଲ ଅଧୀନ ପାଇକପଡ଼ା ଘାଟରୁ ବନ୍ୟା ପାଣି କମିବା ମାତ୍ରେ ବେଧଡ଼କ ବାଲି ଉତ୍ତୋଳନ କରାଯାଇ ବାଘମରାଠାରେ ପର୍ବତ ସଦୃଶ ବିରାଟକାୟ ବେଆଇନ ବାଲି ଡିପୋ ଠିଆ କରାଯାଇଛି। ଦିନଦ୍ୱିପ୍ରହରରେ ଶହ ଶହ ଟ୍ରାକ୍ଟର, ଡମ୍ଫର ଓ ହାଇୱା ଲଗାଇ ଏହି ଲୁଟ୍ ଚାଲିଥିବା ବେଳେ ବଡ଼ସାହି ତହସିଲ ପ୍ରଶାସନ, ବଡ଼ସାହି ପୁଲିସ କିମ୍ବା ଜିଲ୍ଲା ଖଣି ଅଧିକାରୀଙ୍କ କୌଣସି ପତ୍ତା ମିଳୁନାହିଁ। ବଡ଼ସାହି ପ୍ରଶାସନର ନାକ ତଳେ ଏଭଳି ଖୋଲା ଲୁଟ୍ ହେଉଥିବା ବେଳେ ବେତନଟୀ ପୁଲିସ ଏହି ଗାଡ଼ି ଜବତ କରିବା ନିଶ୍ଚିତ ଭାବେ ସ୍ଥାନୀୟ ଅଧିକାରୀ ଓ ବାଲି ମାଫିଆଙ୍କ ମଧ୍ୟରେ ଥିବା ଅଘୋଷିତ ମଧୁଚନ୍ଦ୍ରିକା ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି।
ଜିଲ୍ଲାର ଜଳସମ୍ପଦ ଓ ପରିବେଶକୁ ଧ୍ୱଂସ କରି କୋଟି କୋଟି ଟଙ୍କାର ରାଜସ୍ୱ ହରିଲୁଟ୍ ଚାଲିଥିବା ବେଳେ ପ୍ରଶାସନିକ ନିରବତା ସାଧାରଣ ଜନତାଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। କେବଳ ଜଣେ ଡ୍ରାଇଭରକୁ ଗିରଫ କରି ନିଜ ଦାୟିତ୍ୱ ସାରିଦେବା ପରିବର୍ତ୍ତେ ବାଘମରାରେ ପାହାଡ଼ ଭଳି ଡିପୋ କରିଥିବା ପ୍ରକୃତ ମାଫିଆ ଓ ସେମାନଙ୍କୁ ସୁରକ୍ଷା ଯୋଗାଉଥିବା ବଡ଼ସାହି ତହସିଲଦାର, ସ୍ଥାନୀୟ ବଡ଼ସାହି ପୁଲିସ ଏବଂ ଜିଲ୍ଲା ଖଣି ବିଭାଗର ଦାୟିତ୍ୱହୀନ ଅଧିକାରୀଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ, ତାହା ହିଁ ଦେଖିବାକୁ ବାକି ରହିଲା ବୋଲି ସ୍ଥାନୀୟବାସିନ୍ଦା ଓ ବୁଦ୍ଧିଜୀବୀ ମାନେ କହିଛନ୍ତି ।
