ବେତନଟୀରେ ଚୋରା ମୋରମ ବୋଝେଇ ଟିପର ଜବତ; ଥାନାରେ ମାମଲା ରୁଜୁ
ବେତନଟୀ, ୨/୧୦: ସ୍ଥାନୀୟ ବେତନଟୀ-ବଡ଼ସାହି ରାସ୍ତାର ପୁରୁଣା କୋର୍ଟ ଛକ ନିକଟରୁ ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଏକ ଚୋରା ମୋରମ ବୋଝେଇ ଟିପର ଜବତ କରିଛି। ତେବେ ଖଣିଜ ସମ୍ପଦ ଲୁଟ୍କୁ ରୋକିବା ପାଇଁ ଦାୟିତ୍ଵରେ ଥିବା ତହସିଲ ପ୍ରଶାସନ ଓ ଜିଲ୍ଲା ଖଣି ବିଭାଗ ନିଦାବିଷ୍ଣୁ ସାଜିଥିବା ବେଳେ ପୋଲିସ ହାତରେ ଗାଡ଼ି ଧରାପଡ଼ିବା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗୁରୁବାର ରାତିରେ ପାଟ୍ରୋଲିଂ ବେଳେ ବେତନଟୀ ପୋଲିସ ବେଆଇନ ଭାବେ ମୋରମ ପରିବହନ କରୁଥିବା ଏକ ଟିପର (ଓଡି ୧୧ ଏଏଚ ୪୨୯୧) କୁ ଅଟକାଇ ଯାଞ୍ଚ କରିଥିଲା। ବୈଧ କାଗଜପତ୍ର ନ ଥିବାରୁ ଗାଡ଼ିଟିକୁ ଜବତ କରାଯାଇ ଥାନାକୁ ଅଣାଯାଇଛି। ଏନେଇ ଥାନାରେ କେସ୍ ନମ୍ବର ୩୮୯/୨୬ ରେ ଏକ ମାମଲା ରୁଜୁ ହୋଇଛି। ଗାଡ଼ି ଚାଳକ ଯନ୍ମଜୟ ମହାନ୍ତଙ୍କୁ ଗିରଫ କରାଯାଇଥିଲେ ହେଁ ପରେ ଥାନାରୁ ଜାମିନ ଦିଆଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ ଉକ୍ତ ଗାଡ଼ିର ମାଲିକ ବେତନଟୀ ଅଞ୍ଚଳର ଦାମା ନାଥଙ୍କ ପୁଅ ରଜତ ନାଥ। ଅଞ୍ଚଳରେ ଦୀର୍ଘ ଦିନରୁ ବେଆଇନ ମୋରମ ଖନନ ଓ ଚାଲାଣ ଚାଲିଥିଲେ ମଧ୍ୟ ବେତନଟୀ ତହସିଲ ପ୍ରଶାସନ ଏବଂ ଜିଲ୍ଲା ଖଣି ଅଧିକାରୀଙ୍କ ରହସ୍ୟଜନକ ନୀରବତା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ରାଜସ୍ୱ ହାନି ଘଟୁଥିବା ବେଳେ ଏହି ଦୁଇ ଦାୟିତ୍ୱସମ୍ପନ୍ନ ବିଭାଗର କୌଣସି ଆଗୁଆ ପଦକ୍ଷେପ ନ ରହିବା ସେମାନଙ୍କ ଉଦାସୀନତାକୁ ହିଁ ପଦାରେ ପକାଉଛି। କେବଳ ପୋଲିସ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ; ଖଣି ବିଭାଗ ମୁଖ୍ୟ ମାଫିଆଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନ ନେଲେ ଏଭଳି ଲୁଟ୍ ଉପରେ ରୋକ ଲଗାଇବା ଅସମ୍ଭବ।
