**ବନ୍ୟପ୍ରାଣୀ ସପ୍ତାହ: ନାଲସା ଯୋଜନା ଜରିଆରେ ସୁନାବେଡ଼ାରେ ସଚେତନତା କାର୍ଯ୍ୟକ୍ରମ*
ନୂଆପଡା(ମିଖାଏଲ ନନ୍ଦ) ତା:୩୦.୦୯.୨୦୨୬
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଚାଲୁଥିବା ମେଗା ଡ୍ରାଇଭ୍ ଅନ୍ତର୍ଗତ 72ତମ ବନ୍ୟଜନ୍ତୁ ସପ୍ତାହ ପାଳନ ଅବସରରେ ସୁନାବେଡା ଗ୍ରାମ ପଞ୍ଚାୟତର ସାଲେପଡ଼ା ଉଚ୍ଚ ବିଦ୍ୟାଳୟ ରେ ନାଲସା ହିଂସ୍ରଜନ୍ତୁ-ମନୁଷ୍ୟ ସଂଘର୍ଷରେ ପୀଡ଼ିତଙ୍କୁ ଆଇନ ସହାୟତା ଯୋଜନା, ୨୦୨୫ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବଦାସ ଶବର, କୋମନାର ଆଇନଜୀବୀ ସୋହେଲ୍ ଖାନ୍, ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀଗଣ ଏବଂ ପ୍ରାଧିକରଣର ଅଧିକାର ମିତ୍ରଗଣ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରାଧିକରଣର ସଚିବ ନବନୀତା ଦାଶ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ଙ୍କ ଦ୍ଵାରା ପ୍ରଚଳିତ ହିଂସ୍ରଜନ୍ତୁ- ମନୁଷ୍ୟ ସଂଘର୍ଷ ରେ ପୀଡ଼ିତଙ୍କୁ ଆଇନ ସହାୟତା ଯୋଜନା, ୨୦୨୫, ରାଜ୍ୟ ବନ ବିଭାଗର ଅନୁକମ୍ପା ଯୋଜନାରେ କ୍ଷତିପୂରଣ, ମାଗଣା ଚିକିତ୍ସା ଇତ୍ୟାଦି ବିଷୟରେ ବିସ୍ତୃତ ଧାରଣା ଦେଇଥିଲେ । ନୂଆପଡ଼ା ରେ ଅନେକ ବ୍ୟକ୍ତି ମାନେ, ତାଙ୍କର ଘର ଓ ଗୃହପାଳିତ ପଶୁ ମାନେ ବାଘ ଓ ଭାଲୁ କାମୁଡ଼ାରେ କ୍ଷତିଗ୍ରସ୍ତ ହେଉଛନ୍ତି, ସେହିଭଲି ହାତୀ ଓ ବାରହାମାନଙ୍କର ଉପଦ୍ରବ ଯୋଗୁଁ ମଧ୍ୟ ଅନେକ ବ୍ୟକ୍ତିମାନଙ୍କର ଘର ଭାଙ୍ଗୁଛି ଓ ଫସଲହାନି ମଧ୍ୟ ହେଉଛି । ଏହିପରି ପୀଡ଼ିତ ବ୍ୟକ୍ତି ମାନେ ଏହି ଯୋଜନା ରେ ଅନ୍ତର୍ଭୁକ୍ତ ହୋଇ ଉଚିତ୍ ସମୟ ରେ କ୍ଷତିପୂରଣ ପାଇଁ ଆବେଦନ କରିପାରିବେ ବୋଲି ସଚିବ ସୁଶ୍ରୀ ଦାଶ ସୂଚନା ଦେଇଛନ୍ତି ।
