*ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଢେଙ୍କାନାଳ ଜିଲ୍ଲାରେ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଦ୍ୱାରା ଚଢ଼ାଉ କରାଯାଇଛି l*
ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର ) ଆଜି ୩୦.୦୯.୨୦୨୬
ଢେଙ୍କାନାଳ ଜିଲ୍ଲାରୁ ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ନିରାକରଣ ଏବଂ ଶିଶୁ ଓ କିଶୋର ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ) ଆଇନର କଡ଼ାକଡ଼ି କାର୍ଯ୍ୟାନ୍ୱୟନ ନିମନ୍ତେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ପୋଲିସ ବିଭାଗ ଓ ଚାଇଲ୍ଡଲାଇନ୍ର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇ ଚଢ଼ାଉ ଅଭିଯାନ ଆରମ୍ଭ କରାଯାଇଛି।
ଏହି କ୍ରମରେ ଆଜି ଜିଲ୍ଲାର ପରଜଙ୍ଗ, କାମାକ୍ଷାନଗର, ଓଡ଼ାପଡ଼ା ଓ ଗନ୍ଦିଆ ବ୍ଲକର ବିଭିନ୍ନ ହୋଟେଲ, ଢାବା, ଗ୍ୟାରେଜ, ଦୋକାନ, ଇଟାଭାଟି, ଚା’ ଦୋକାନ ଓ କ୍ଷୁଦ୍ର ଶିଳ୍ପାନୁଷ୍ଠାନରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ପକ୍ଷରୁ ଆକସ୍ମିକ ଚଢ଼ାଉ କରାଯାଇଥିଲା। ପରଜଙ୍ଗ ବ୍ଲକରେ ୨୨ଟି ଏବଂ କାମାକ୍ଷାନଗର ବ୍ଲକରେ ୧୪ଟି ପ୍ରତିଷ୍ଠାନରେ ଚଢ଼ାଉ କରାଯାଇଥିବାବେଳେ କୌଣସି ଶିଶୁ ଶ୍ରମିକ ଚିହ୍ନଟ ହୋଇନଥିଲେ। ସେହିପରି, ଗନ୍ଦିଆ ବ୍ଲକରେ ୧୪ଟି ପ୍ରତିଷ୍ଠାନରେ ଚଢ଼ାଉ ସମୟରେ ଜଣେ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଥିଲା। ଓଡ଼ାପଡ଼ା ବ୍ଲକରେ ୧୫ଟି ପ୍ରତିଷ୍ଠାନରେ ଚଢ଼ାଉ କରାଯାଇ ଜଣେ ଶିଶୁ ଶ୍ରମିକ ଓ ୩ ଜଣ କିଶୋର ଶ୍ରମିକ ଉଦ୍ଧାର କରାଯାଇଥିଲେ। ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି। ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ମାନସିକ ପରାମର୍ଶ ଏବଂ ସୁରକ୍ଷିତ ଆଶ୍ରୟ ନିମନ୍ତେ ଶିଶୁ ଯତ୍ନ ଅନୁଷ୍ଠାନରେ ରଖିବାର ବ୍ୟବସ୍ଥା କରାଯାଉଛି।
ଏଥିସହିତ, ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ପୁନର୍ବାର ବିଦ୍ୟାଳୟରେ ନାମଲେଖା କରାଇ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ସେମାନଙ୍କର ଶିକ୍ଷା ଅଧିକାର ସୁନିଶ୍ଚିତ କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ଶିଶୁ ଶ୍ରମିକ ନିୟୋଜନ ନକରିବା ପାଇଁ ଚଢ଼ାଉ କରାଯାଇଥିବା ବିଭିନ୍ନ ପ୍ରତିଷ୍ଠାନର ମାଲିକମାନଙ୍କୁ ସଚେତନ କରାଯିବା ସହ ପ୍ରଚାରପତ୍ର ବଣ୍ଟନ କରାଯାଇଛି। ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ନିରାକରଣ କରିବା ନିମନ୍ତେ ଏଭଳି ଚଢ଼ାଉ ଓ ସଚେତନତାମୂଳକ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।
