ଗଞ୍ଜେଇ ଚାଲାଣର ନୂଆ ତରିକା!
ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ, ୬ ଜଣ ଗିରଫ।
କନ୍ଧମାଳ, (ନି.ପ୍ର) ୨୮/୦୯/୨୬
ଗଞ୍ଜେଇ ଚାଲାଣ ପାଇଁ ଚୋରାଚାଲାଣକାରୀଙ୍କ ନୂଆ ତରିକା। ଆମ୍ବୁଲାନ୍ସକୁ ବ୍ୟବହାର କରି ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ କନ୍ଧମାଳ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ଚଢ଼ାଉ କରି ବଡ଼ ସଫଳତା ହାସଲ କରିଛି।ଜିଲ୍ଲା ଅବକାରୀ ଏସ୍ପି ସୁଶାନ୍ତ ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ଭ୍ରାମ୍ୟମାଣ ଅବକାରୀ ୟୁନିଟ୍ ବିଶେଷ ସୂତ୍ରରୁ ସୂଚନା ପାଇ ଟିକାବାଲି ଥାନା ଅନ୍ତର୍ଗତ ଲାଇନପଡ଼ା ଘାଟି ନିକଟରେ ଚଢ଼ାଉ କରିଥିଲା।
ଯାଞ୍ଚ ସମୟରେ ଏକ ଆମ୍ବୁଲାନ୍ସରୁ ୬୧ କେଜି ଏବଂ ଏକ XUV ଗାଡ଼ିରୁ ୨୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଏହି ଦୁଇଟି ଗାଡ଼ିରୁ ୪ ଜଣଙ୍କୁ ଗିରଫ କରାଯାଇଥିଲା।ଗିରଫ ଅଭିଯୁକ୍ତମାନେ ହେଲେ ଦୁର୍ଗା ଶଙ୍କର ପାଣିଗ୍ରାହୀ, ମହେଶ୍ୱର ନନ୍ଦୀ, ଯାଦୁନାଥ ସାହୁ ଓ ବଳଭଦ୍ର ସାହୁ। ସେମାନେ ବାଲେଶ୍ୱର ଜିଲ୍ଲାର ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
ପରେ ଟିକାବାଲି ଥାନା ଅନ୍ତର୍ଗତ ଶଙ୍କରାଖୋଲ ଛକ ନିକଟରେ ଆଉ ଏକ ମାକ୍ସ ପିକ୍ଅପ୍ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଗାଡ଼ିରୁ ଆଉ ୪୦ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ଦିବାକର ପାତ୍ର ଓ ଭାସ୍କର ପାତ୍ରଙ୍କୁ ଗିରଫ କରାଯାଇଥିଲା।ଦୁଇଟି ଘଟଣାରେ ମୋଟ ୧୨୧ କେଜି ଗଞ୍ଜେଇ ଜବତ।
