* ଇନ୍ଷ୍ଟାଗ୍ରାମ ପରିଚୟ ବିବାହ ଓ ପରେ ନିର୍ଯାତନା!*
: ବଲାଙ୍ଗିର। ସିଆଲ ମିଡିଆରୁ ଆରମ୍ଭ ହୋଇଥିଲା ପରିଚୟ। କଥାବାର୍ତ୍ତା ବଢ଼ିଲା, ଆଉ ତା’ପରେ କାମ ଦେବାର ପ୍ରତିଶ୍ରୁତି। ଏହି ପ୍ରତିଶ୍ରୁତିକୁ ଭରସା କରି ଉତ୍ତରପ୍ରଦେଶ ଯିବା ପରେ ଜୋରଜବରଦସ୍ତ ବିବାହ କରାଯାଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ବଲାଙ୍ଗିରର ଜଣେ ନାବାଳିକା।
ନାବାଳିକାଙ୍କ ଅଭିଯୋଗ ଅନୁସାରେ, ଇନ୍ଷ୍ଟାଗ୍ରାମରେ ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ଜଣେ ଯୁବକଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ନିୟମିତ କଥାବାର୍ତ୍ତା ହେଉଥିଲା। କାମ ଦେବାର ପ୍ରଲୋଭନ ଦେଖାଇ ତାଙ୍କୁ ମାଆଙ୍କ ସହ ୟୁପି ଡକାଯାଇଥିବା ସେ ଅଭିଯୋଗ କରିଛନ୍ତି।
ସେଠାରେ ପହଞ୍ଚିବା ପରେ ତାଙ୍କ ଇଚ୍ଛା ବିରୋଧରେ ବିବାହ କରାଯାଇଥିବା ଏବଂ କୋର୍ଟରେ ତାଙ୍କ ବୟସ ସମ୍ପର୍କରେ ଭୁଲ ତଥ୍ୟ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ବିବାହ ପରେ ତାଙ୍କ ମାଆଙ୍କୁ ବଲାଙ୍ଗିର ଫେରିବାକୁ କୁହାଯାଇଥିଲା ବୋଲି ନାବାଳିକା କହିଛନ୍ତି।
ପରବର୍ତ୍ତୀ ସମୟରେ ସେ ଗର୍ଭବତୀ ହେବା ପରେ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି। ଶିଶୁ ଜନ୍ମ ପରେ ହସ୍ପିଟାଲ ଯିବା ବାହାନାରେ ସେ ସେଠାରୁ ବାହାରି ଆସିଥିଲେ। ପରେ ବହୁ କଷ୍ଟରେ ଟ୍ରେନ୍ ଯୋଗେ ବଲାଙ୍ଗିର ଫେରିଥିବା କହିଛନ୍ତି।
ଏବେ ନ୍ୟାୟ ପାଇଁ ଲକ୍ଷ୍ମୀଯୋର ଥାନାର ଦ୍ୱାରସ୍ଥ ହୋଇଛନ୍ତି ନାବାଳିକା। ତାଙ୍କ ସହ ଅନ୍ୟାୟ ହୋଇଥିବା ଦାବି କରି ଘଟଣାର ତୁରନ୍ତ ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।
ତେବେ ନାବାଳିକାଙ୍କ ଅଭିଯୋଗର ସତ୍ୟତା କେତେ, ଘଟଣା ପଛର ପ୍ରକୃତ ତଥ୍ୟ କ’ଣ ଏବଂ ଆଇନଗତ ଭାବେ କେଉଁମାନେ ଦାୟୀ—ପୋଲିସ ତଦନ୍ତ ପରେ ହିଁ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।
