ରାୟଗଡ଼ରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ଦୁର୍ଘଟଣା ରୋକିବା ଓ ଟ୍ରାଫିକ୍ ନିୟମ କଡ଼ାକଡ଼ି ଉପରେ ଗୁରୁତ୍ୱ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ରାୟଗଡ଼,୨୨/୯- ରାୟଗଡ଼ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଏବଂ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣିଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକରେ ଜିଲ୍ଲାରେ କ୍ରମାଗତ ଭାବେ ବଢୁଥିବା ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ଏବଂ ଟ୍ରାଫିକ୍ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଦିଗରେ ବିସ୍ତୃତ ଆଲୋଚନା କରାଯାଇଛି। ବୈଠକରେ ଉପସ୍ଥାପିତ ରିପୋର୍ଟ ଅନୁଯାୟୀ, ୨୦୨୬ ମସିହା ଅଗଷ୍ଟ ମାସରେ ସମୁଦାୟ ୧୯ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୧୧ ଜଣଙ୍କର ପ୍ରାଣହାନି ଘଟିଛି ଏବଂ ଗତ ଜୁଲାଇ ମାସରେ ମଧ୍ୟ ସମାନ ସଂଖ୍ୟକ ୧୯ଟି ଦୁର୍ଘଟଣା ଘଟି ୧୧ ଜଣ ପ୍ରାଣ ହରାଇଥିଲେ। ବିଶେଷକରି ଚାନ୍ଦିଲି, ମୁନିଗୁଡା, ରାୟଗଡ଼ା, ଗୁଣପୁର ଏବଂ କାଶୀପୁର ଭଳି ବିଭିନ୍ନ ପୋଲିସ ଷ୍ଟେସନ ଅଞ୍ଚଳରେ ଅଧିକ ଦୁର୍ଘଟଣା ଘଟିଥିବା ପରିସଂଖ୍ୟାନରୁ ଜଣାପଡ଼ିଛି।
ଦୁର୍ଘଟଣା ହ୍ରାସ ଏବଂ ସୁଗମ ଟ୍ରାଫିକ ପରିଚାଳନା ପାଇଁ ପୂର୍ବ ବୈଠକର ପରାମର୍ଶ କ୍ରମେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହାତକୁ ନିଆଯାଇଛି। ଆଞ୍ଚଳିକ ପରିବହନ ବିଭାଗ ଏବଂ ମ୍ୟୁନିସିପାଲିଟିକୁ ତୁରନ୍ତ ଏକ ମୋବାଇଲ୍ ରିକୋଭରୀ ଭ୍ୟାନ୍ କିଣିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକରେ ପୋଲିସ ଏବଂ ଆରଟିଓଙ୍କ ମିଳିତ ତଦାରଖ ପ୍ରକ୍ରିୟାକୁ କଡ଼ାକଡ଼ି କରିବାକୁ କୁହାଯାଇଛି। ଏହାବ୍ୟତୀତ ବିଷମକଟକ-ଦୁର୍ଗି ରାସ୍ତାରେ ତଥା ବିଭିନ୍ନ ସ୍କୁଲ ସାମ୍ନାରେ ରମ୍ବଲର୍ ବସାଇବା, ଟୋଟାଗୁଡା ଛକଠାରେ ଟ୍ରାଫିକ୍ ସାଇନେଜ୍ ଲଗାଇବା, ଗୁମ୍ମା ରାସ୍ତା ସମେତ ରାୟଗଡ଼ାରୁ କେରଡା ଏବଂ ଜାତୀୟ ରାଜପଥ-୩୨୬ର କୋତାପେଟାରୁ ଜେକେପୁର ରାସ୍ତାର ଖାଲଖମା ମରାମତି କରିବା ଉପରେ ସମ୍ପୃକ୍ତ ବିଭାଗକୁ ପରାମର୍ଶ ଦିଆଯାଇଛି। ରାସ୍ତା ସୁରକ୍ଷାକୁ ଦୃଷ୍ଟିରେ ରଖି ଜେକେପୁରରୁ ରାୟଗଡ଼ା, ସିଆଡିମାଳ ଛକ, ଗୁମୁଡା ଓ ଗୁଡାରି ବ୍ରିଜ୍ ଠାରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରିବା ସହ ପିତାମହଲ ପାଇଁ କୋଟଲାଗୁଡା ଶିବ ମନ୍ଦିର ଛକଠାରେ ଡାଇଭର୍ସନ୍ ସାଇନେଜ୍ ଲଗାଇବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି।
ଅନ୍ୟପକ୍ଷରେ ଅମାନିଆ ଗାଡି ଚାଳକଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବିନା ହେଲମେଟ୍, ସିଟ୍ ବେଲ୍ଟ ନପିନ୍ଧିବା, ଦ୍ରୁତ ଗତିରେ ଗାଡି ଚଳାଇବା, ଟ୍ରିପଲ୍ ରାଇଡିଂ ଏବଂ ମଦ୍ୟପାନ କରି ଗାଡି ଚଳାଇବା ଅଭିଯୋଗରେ ବହୁ ସଂଖ୍ୟାରେ ଇ-ଚାଲାଣ କଟାଯାଉଛି। ଏହା ସହିତ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯାଉଛି, ଯେଉଁଥିରେ କେବଳ ଅଗଷ୍ଟ ମାସରେ ୧୧୬ ଟି ଲାଇସେନ୍ସ ସସ୍ପେଣ୍ଡ କରାଯାଇଥିବା ବେଳେ ୨୦୨୬ ମସିହା ଜାନୁଆରୀରୁ ଅଗଷ୍ଟ ସୁଦ୍ଧା ସର୍ବମୋଟ ୨,୧୩୯ ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି। “ସଡକ ସୁରକ୍ଷା ଜୀବନ ରକ୍ଷା” ବାର୍ତ୍ତା ସହ ସଡ଼କ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି। ଏହି ବୈଠକରେ ରାୟଗଡ ଉପଜିଲ୍ଲାପାଳ ସୁଶ୍ରୀ ମୃଣାଳିକା ରାଠୋର ଓ ପୋଲିସ ବିଭାଗ ସମେତ ତହସିଲ ବିଭାଗ, ମୁନୁସିପାଲିଟି ବିଭାଗ, ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।
