*ଖଡ଼ିଆଳ ମୁକ୍ତିମାର୍ଗ ଚର୍ଚ୍ଚରେ ସାମୁହିକ ନୁଆଁଖାଇ ପର୍ବ ପାଳିତ, ସୃଷ୍ଟି ହେଲା ଭାଇଚାରାର ଅନନ୍ୟ ଉଦାହରଣ*
ନୂଆପଡା (ମିଖାଏଲ ନନ୍ଦ)
ତା-୨୦/୦୯
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ମୁକ୍ତିମାର୍ଗ ଚର୍ଚ୍ଚ ପରିସରରେ ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୁଆଁଖାଇ’ ସାମୁହିକ ଭାବେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଚର୍ଚ୍ଚ ପକ୍ଷରୁ ଆୟୋଜିତ ଏହି ସାମୁହିକ ନୁଆଁଖାଇ ଉତ୍ସବକୁ ଆଚାର୍ଯ୍ୟ ଅଜୟ କୁମାର ନାଗ ବିଧିବଦ୍ଧ ଭାବେ ଆରମ୍ଭ କରିଥିଲେ।ଏହି ଅବସରରେ ସମସ୍ତ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣ ଏକାଠି ହୋଇ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ଭକ୍ଷଣ କରିବା ସହ ପରସ୍ପରକୁ ‘ନୁଆଁଖାଇ ଜୁହାର’ ଜଣାଇ ଆଶୀର୍ବାଦ ଭିକ୍ଷା କରିଥିଲେ। ଚର୍ଚ୍ଚ ପରିସରରେ ଏଭଳି ସାମୁହିକ ପର୍ବ ପାଳନ ସମାଜରେ ଏକତା, ଶାନ୍ତି ଓ ସାର୍ବଜନୀନ ଭାଇଚାରାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି।ସାମୁହିକ ଭାବେ ନୁଆଁଖାଇ ପର୍ବର ସମସ୍ତ ରୀତିନୀତି ସମ୍ପନ୍ନ ହେବା ପରେ ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ‘ପ୍ରୀତି ଭୋଜନ’ (ସାମୁହିକ ଅନ୍ନପ୍ରସାଦ) ର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶ୍ରଦ୍ଧାଳୁ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
