ନକଲି ମୋଟର ଯାନ ନିରୀକ୍ଷକ ଗିରଫ
ବିବାହ ପ୍ରତିଶ୍ରୁତି ଓ ସରକାରୀ ଚାକିରିର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
କନ୍ଧମାଳ : ସାରଙ୍ଗଡ଼
୧୯/୦୯/୨୬: ନିଜକୁ ନକଲି ମୋଟର ଯାନ ନିରୀକ୍ଷକ (MVI) ଭାବେ ପରିଚୟ ଦେଇ ଲୋକଙ୍କୁ ଠକେଇ କରୁଥିବା ଅଭିଯୋଗରେ ସାରଙ୍ଗଡ଼ା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ନିଜକୁ ସରକାରୀ ଅଧିକାରୀ ଭାବେ ପରିଚୟ ଦେଇ ନିୟମିତ ସରକାରୀ ଚାକିରି କରାଇଦେବା ଏବଂ ବିବାହର ପ୍ରତିଶ୍ରୁତି ଦେଇ ଠକେଇ କରୁଥିବା ପୁଲିସ ପ୍ରେସ୍ ନୋଟ୍ରୁ ଜଣାପଡ଼ିଛି।ଗିରଫ ଅଭିଯୁକ୍ତ ହେଲେ ଧର୍ମେନ୍ଦ୍ର କୁମାର ବେହେରା (୩୦), ପିତା ସୋମନାଥ ବେହେରା, ଗ୍ରାମ ଚକାପଦା, ଟୋଟାସାହି, ଚକାପଦା ଥାନା ଅଞ୍ଚଳ। ସେ ନିଜକୁ ନିଖିଲ କୁମାର ପଟ୍ଟନାୟକ ନାମରେ ପରିଚୟ ଦେଉଥିବା ଅଭିଯୋଗ ରହିଛି।
ସାରଙ୍ଗଡ଼ା ଥାନା କେସ୍ ନମ୍ବର ୧୩୨, ତାରିଖ ୧୭.୦୯.୨୦୨୬ ଅନୁସାରେ BNS ଧାରା ୩୧୮(୪)/୩୧୯(୨) ଅଧୀନରେ ମାମଲା ରୁଜୁ ହୋଇଛି।ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଅଭିଯୁକ୍ତ ପ୍ରାୟ ଏକ ବର୍ଷ ପୂର୍ବେ ବିବାହ ପ୍ରସ୍ତାବ ମାଧ୍ୟମରେ ଅଭିଯୋଗକାରିଣୀଙ୍କ ସହ ପରିଚିତ ହୋଇଥିଲେ। ନିଜକୁ ଆରଟିଓ ବିଭାଗର ମୋଟର ଯାନ ନିରୀକ୍ଷକ ଭାବେ ପରିଚୟ ଦେଇ ସେ ଅଭିଯୋଗକାରିଣୀ ଓ ତାଙ୍କ ପରିବାରର ବିଶ୍ୱାସ ଜିତିଥିବା ଅଭିଯୋଗ ରହିଛି।ପରେ ସରକାରୀ ଅଧିକାରୀଙ୍କ ସହ ପରିଚୟ ଥିବା ଦର୍ଶାଇ ନିୟମିତ ସରକାରୀ ଚାକିରି କରାଇଦେବାକୁ କହିଥିଲେ। ଏହି ଚାକିରି ପାଇଁ ଟଙ୍କା ଦେବାକୁ ପ୍ରବର୍ତ୍ତାଇଥିବା ପୁଲିସ କହିଛି।ଅଭିଯୋଗକାରିଣୀଙ୍କ ଅନୁସାରେ, ୨୬.୦୬.୨୦୨୫ରୁ ୨୦.୦୧.୨୦୨୬ ମଧ୍ୟରେ ବିଭିନ୍ନ ଥରରେ ମୋଟ ୭ ଲକ୍ଷ ୭୮ ହଜାର ୮୫୧ ଟଙ୍କା ଅଭିଯୁକ୍ତଙ୍କ ବ୍ୟାଙ୍କ ଖାତା ଓ ଫୋନ୍ପେ ମାଧ୍ୟମରେ ପଠାଯାଇଥିଲା। ଟଙ୍କା ଫେରସ୍ତ ମାଗିବା ପରେ ଅଭିଯୁକ୍ତ ଫୋନ୍ ବନ୍ଦ କରି ଯୋଗାଯୋଗରୁ ଦୂରେଇ ଯାଇଥିବା ଅଭିଯୋଗ ହୋଇଛି।ନକଲି ୟୁନିଫର୍ମ ପିନ୍ଧି ଗାଡ଼ି ଯାଞ୍ଚପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତ ନକଲି ପରିଚୟରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନଧିକୃତ ଭାବେ ମୋଟର ଯାନ ଯାଞ୍ଚ କରୁଥିଲେ। ଗିରଫ ସମୟରେ ତାଙ୍କ ନିକଟରୁ ନିମ୍ନଲିଖିତ ସାମଗ୍ରୀ ଜବତ ହୋଇଛି। ନିଖିଲ କୁମାର ପଟ୍ଟନାୟକ ନାମ ଲେଖାଥିବା OMVD ୟୁନିଫର୍ମ।ପୁଲିସ ୟୁନିଫର୍ମର ଏକ ଯୋଡ଼ା।ଅରେଞ୍ଜ ଲାଇଟ୍ ଲାଗିଥିବା ମାରୁତି ଏର୍ଟିଗା କାର୍।ଅଭିଯୁକ୍ତ ବ୍ୟବହାର କରୁଥିବା ମାରୁତି ଅଲ୍ଟୋ କାର୍।ଧର୍ମେଶ କୁମାର ପଟ୍ଟନାୟକ ନାମରେ ଦୁଇଟି ନାମଫଳକ। OMVD ୟୁନିଫର୍ମ ପିନ୍ଧିଥିବା ଫଟୋ ମୋବାଇଲ୍ ଫୋନ୍, SBI ପାସ୍ବୁକ୍, ଆଧାର କାର୍ଡ ଓ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ସାର୍ଟିଫିକେଟ୍।ତଦନ୍ତ ଜାରିପୁଲିସ ପ୍ରେସ୍ ନୋଟ୍ରେ କୁହାଯାଇଛି ଯେ, ଅଭିଯୁକ୍ତ ନିଜକୁ ସରକାରୀ ଅଧିକାରୀ ଭାବେ ପରିଚୟ ଦେଇ ସାଧାରଣ ଲୋକଙ୍କୁ ଭ୍ରମିତ କରୁଥିଲେ। ବିବାହ ପ୍ରସ୍ତାବ ଦେଇ ମହିଳାମାନଙ୍କୁ ଠକେଇ କରିବା ଏବଂ ଠକେଇ ଟଙ୍କାରେ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିବା ଅଭିଯୋଗ ମଧ୍ୟ ରହିଛି।ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବାଲିଗୁଡ଼ା ଏସ୍ଡିଜେଏମ୍ କୋର୍ଟକୁ ପଠାଯିବା ବ୍ୟବସ୍ଥା ହୋଇଛି। ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଅନ୍ୟ କୌଣସି ବ୍ୟକ୍ତି ଠକେଇର ଶିକାର ହୋଇଛନ୍ତି କି ନାହିଁ, ସେନେଇ ପୁଲିସର ଅଧିକ ତଦନ୍ତ ଜାରି ରହିଛି।
ଉପରୋକ୍ତ ତଥ୍ୟ ପୁଲିସ ପ୍ରେସ୍ ନୋଟ୍ ଆଧାରିତ। ଅଭିଯୋଗଗୁଡ଼ିକର ଅନ୍ତିମ ସତ୍ୟତା ଆଇନଗତ ପ୍ରକ୍ରିୟାରେ ନିର୍ଦ୍ଧାରିତ ହେବ।
