ପୋଖରୀରେ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ନାବାଳିକାଙ୍କ ମୃତ୍ୟୁ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ପୋଖରୀ ରେ ଗାଧୋଇବା ସମୟରେ ଜଣେ ନାବାଳିକା ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ସୋର ଅଞ୍ଚଳରେ। ସୂଚନାଯୋଗ୍ୟ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ମାଣତ୍ରୀ ଗ୍ରାମର ବାଗଡାସାହି ବିଶେଶ୍ୱର ମନ୍ଦିର ନିକଟ ପୋଖରୀରେ ଏକ ମର୍ମନ୍ତୁଦ ଅଘଟଣ ଘଟିଯାଇଛି। ପୋଖରୀରେ ବୁଡ଼ି ଜଣେ ୧୨ ବର୍ଷୀୟା ନାବାଳିକାର ଜୀବନ ଚାଲିଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ମାଣତ୍ରୀ ଗ୍ରାମର ନିରଞ୍ଜନ ଦାସଙ୍କ ଝିଅ ସଂଜିତା ଦାସ ନିଜର ଟିଉସନ ସାରି ଘରକୁ ଫେରିବା ବାଟରେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ସେହି ସମୟରେ ଅସାବଧାନତା ବଶତଃ ଗଭୀର ପୋଖରୀରେ ତାଙ୍କର ଗୋଡ଼ ଖସିଯାଇଥିଲା, ଯାହାଫଳରେ ସେ ଗଭୀର ଜଳରାଶି ଭିତରକୁ ଖସି ପଡ଼ି ବୁଡ଼ି ଯାଇଥିଲେ। ଘଟଣାସ୍ଥଳରେ ପରିବାରବର୍ଗ ଏବଂ ସ୍ଥାନୀୟ ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ପରେ ପରିବାର ପକ୍ଷରୁ ସୋର ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କଳକୌଶଳ ଓ ପରିଶ୍ରମ ବଳରେ ଅଗ୍ନିଶମ କର୍ମଚାରୀମାନେ ପ୍ରାୟ ୧୨ ରୁ ୧୫ ଫୁଟ ଗଭୀର ପାଣିରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ତରବରିଆ ଭାବେ ଫାୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସୋର ଡାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ସଂଜିତା ବାପା ମାଆଙ୍କର ଏକ ମାତ୍ର ସନ୍ତାନ ଥିଲେ।
