*ଢେଙ୍କାନାଳରେ ଆରମ୍ଭ ହେଲା ‘ସେବା ସଂକଳ୍ପ ଅଭିଯାନ’*
ଢେଙ୍କାନାଳ, (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )୧୭ ସେପ୍ଟେମ୍ବର:
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଏବଂ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ସାରା ଓଡ଼ିଶାରେ ଆୟୋଜିତ ହେଉଥିବା ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆଜି ଢେଙ୍କାନାଳ ଜିଲ୍ଲାରେ ଆରମ୍ଭ ହୋଇଛି।
ଅଭିଯାନଟି ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭, ୨୦୨୬ ପର୍ଯ୍ୟନ୍ତ ଚାଲିବ। ଅଭିଯାନ ଅଧୀନରେ ଜିଲ୍ଲା, ମଣ୍ଡଳ ଓ ବୁଥ୍ ସ୍ତର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଆଜି ଏହି ଅଭିଯାନର ଶୁଭାରମ୍ଭ ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କପିଳାସସ୍ଥିତ ମହାଦେବ ଚନ୍ଦ୍ରଶେଖର ମନ୍ଦିର ଏବଂ ଢେଙ୍କାନାଳ ସହରସ୍ଥିତ ଶ୍ରୀ ବଳଦେବଜୀଉ ମନ୍ଦିରରେ ଦୀପ ପ୍ରଜ୍ୱଳନ କରି ଅଭିଯାନର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଜୀବନ ଓ କାର୍ଯ୍ୟଧାରାରୁ ପ୍ରେରଣା ନେଇ ଦେଶ ଗଠନ ଏବଂ ରାଷ୍ଟ୍ର ସେବା ପ୍ରତି ସମସ୍ତେ ନିଜର ଯୋଗଦାନ ରଖିବା ଆବଶ୍ୟକ। ନିଃସ୍ୱାର୍ଥ ସେବା ଓ ରାଷ୍ଟ୍ର ପ୍ରତି ଦାୟିତ୍ୱବୋଧର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତର ଆନ୍ତର୍ଜାତିକ ଗୁରୁତ୍ୱ ବୃଦ୍ଧି ପାଇଥିବା ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ସଦ୍ୟ ସମାପ୍ତ BRICS ଶିଖର ସମ୍ମିଳନୀକୁ ଭାରତର ବଢୁଥିବା ବିଶ୍ୱସ୍ତରୀୟ ଗୁରୁତ୍ୱର ଏକ ଉଦାହରଣ ଭାବେ ମନ୍ତ୍ରୀ ଶ୍ରୀ ପାତ୍ର ଉଲ୍ଲେଖ କରିଥିଲେ।
ଅଭିଯାନର ପ୍ରଥମ ଦିନରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହା ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘର, ମନ୍ଦିର ଓ ଅନ୍ୟାନ୍ୟ ସ୍ଥାନରେ ଦୀପ ପ୍ରଜ୍ୱଳନ କରାଯାଇଥିଲା। ସରକାରୀ କଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କ ସମେତ ବିଭିନ୍ନ ପରିବାରଙ୍କୁ ଦୀପ ପ୍ରଜ୍ୱଳନରେ ସାମିଲ କରିବା ଏହି କାର୍ଯ୍ୟକ୍ରମର ଅଂଶ।
ଢେଙ୍କାନାଳ ସହରର ଶ୍ରୀ ବଳଦେବଜୀଉ ମନ୍ଦିରରେ ଆଜି ସନ୍ଧ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ସଦସ୍ୟମାନଙ୍କ ପକ୍ଷରୁ ୧,୦୦୦ରୁ ଅଧିକ ଦୀପ ପ୍ରଜ୍ୱଳନ କରାଯାଇଥିଲା।
ମାସବ୍ୟାପୀ ଏହି ଅଭିଯାନରେ ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରି ଅନେକ କାର୍ଯ୍ୟକ୍ରମ ରହିଛି। ସେଥିମଧ୍ୟରୁ ‘ସ୍ୱପ୍ନର ଭାରତ—ଚିତ୍ରାଙ୍କନ ଏବଂ ଭାଷଣ ପ୍ରତିଯୋଗିତା’ ଅଧୀନରେ ‘ବିକଶିତ ଭାରତ’ ଓ ‘୨୫ ବର୍ଷ ସେବା’ ବିଷୟକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା କରାଯିବ।
ସେହିପରି ପଥପ୍ରାନ୍ତ ନାଟକ ମାଧ୍ୟମରେ ବିଗତ ୨୫ ବର୍ଷର ସେବା କାର୍ଯ୍ୟ ଓ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ସଫଳତାକୁ ନେଇ ସଙ୍ଗୀତମୟ ନାଟ୍ୟ ପରିବେଷଣ କରାଯିବ। ଏହା ବିଦ୍ୟାଳୟ, କଲେଜ, ପଞ୍ଚାୟତ, ଗୋଷ୍ଠୀ କେନ୍ଦ୍ର ଓ ସାଧାରଣ ସ୍ଥାନରେ ଆୟୋଜିତ ହେବ।
ମହିଳା ଓ ଶିଶୁଙ୍କୁ କେନ୍ଦ୍ର କରି ଆଙ୍ଗନୱାଡି ଉତ୍ସବ ଅଧୀନରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସହାୟିକା ଓ ହିତାଧିକାରୀ ମାଆମାନଙ୍କୁ ସମ୍ମାନିତ କରାଯିବା ସହ ପୁଷ୍ଟି, ସ୍ୱାସ୍ଥ୍ୟ ଓ ମହିଳା ସମ୍ବନ୍ଧୀୟ ଯୋଜନା ଉପରେ ସଚେତନତା ସୃଷ୍ଟି କରାଯିବ।
ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’, ‘ସେବା ଜ୍ୟୋତି ଯାତ୍ରା’, ‘ରଙ୍ଗୋଲି ରାଷ୍ଟ୍ର’, ‘ରାଷ୍ଟ୍ରୀୟ ନବ-ସୃଜନର ଆହ୍ୱାନ’ ଓ ‘ସେବା ସେତୁ ଅଭିଯାନ’ ଆଦି ରହିଛି।
ଅଭିଯାନରେ ଯୁବ, ମହିଳା, ଛାତ୍ରଛାତ୍ରୀ, କୃଷକଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଅଂଶଗ୍ରହଣକୁ ଗୁରୁତ୍ୱ ଦିଆଯାଇଛି।
ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଢେଙ୍କାନାଳ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ; ଢେଙ୍କାନାଳ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର; ଭାରପ୍ରାପ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ରୁକ୍ମିଣୀ ସାହୁ; ଡିପିସି, ମିଶନ ଶକ୍ତି ଶ୍ରୀମତୀ ସେଫାଲି ସ୍ୱାଗତିକାଙ୍କ ସହ ବିଭିନ୍ନ ଅଧିକାରୀ, ଜନପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ଜନସାଧାରଣ ଉପସ୍ଥିତ ଥିଲେ।
