ଗଣେଶ ପୂଜା ଚାନ୍ଦା ନାମରେ ଜୋରଜବରଦସ୍ତି ଆଦାୟ ଅଭିଯୋଗ
ତାଳଚେରରେ ୩ ଜଣଙ୍କୁ ଧରିଲା କଲିଅରୀ ପୋଲିସ
ତାଳଚେର:(ନିପ୍ର) ଗଣେଶ ପୂଜାକୁ ନେଇ ତାଳଚେର ସହର ଓ ଆଖପାଖ ଅଞ୍ଚଳରେ ଉତ୍ସବର ମାହୋଲ ଥିବା ବେଳେ ଚାନ୍ଦା ଆଦାୟକୁ ନେଇ ପୋଲିସର କଡ଼ା ଆକ୍ସନ୍ ସାମ୍ନାକୁ ଆସିଛି। ପୂଜା ଚାନ୍ଦା ନାମରେ ଜୋରଜବରଦସ୍ତି ଟଙ୍କା ଆଦାୟ ଅଭିଯୋଗରେ କଲିଅରୀ ପୋଲିସ ୩ ଜଣଙ୍କୁ ଧରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସେପ୍ଟେମ୍ବର ୧୨ ତାରିଖ ସନ୍ଧ୍ୟା ସମୟରେ ଡେରା ଜଗନ୍ନାଥ ଗେଷ୍ଟ ହାଉସ୍ ନିକଟରେ କିଛି ବ୍ୟକ୍ତି ରାସ୍ତାରେ ଲୋକଙ୍କୁ ଅଟକାଇ ଗଣେଶ ପୂଜା ଚାନ୍ଦା ଆଦାୟ କରୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଖବର ପାଇ କଲିଅରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହସ୍ତକ୍ଷେପ କରିଥିଲା।
ଏହି ଘଟଣାରେ ପୋଲିସ ଦୀପକ ଗୋଚ୍ଛାୟତ, ଅଶୋକ ଗୋଚ୍ଛାୟତ ଓ ବାପି ଓରଫ ମହେଶ ଗୋଚ୍ଛାୟତଙ୍କୁ ଧରିଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ କଲିଅରୀ ଥାନାରେ BNS ଧାରା ୩୦୮(୫)/୩(୫) ଅନୁଯାୟୀ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ଗଣେଶ ପୂଜା ଭଳି ଧାର୍ମିକ ଓ ସାମାଜିକ ଉତ୍ସବରେ ଚାନ୍ଦା ସଂଗ୍ରହ ଏକ ସାଧାରଣ ପ୍ରଥା ହୋଇଥିଲେ ମଧ୍ୟ, ରାସ୍ତାରେ ଲୋକଙ୍କୁ ଅଟକାଇ, ଭୟଭୀତ କରି କିମ୍ବା ଜୋରଜବରଦସ୍ତି ଟଙ୍କା ଆଦାୟ କରିବା ଅଭିଯୋଗ ଗୁରୁତର ବିଷୟ। ଏଭଳି ଘଟଣା ଯୋଗୁଁ ପୂଜାର ମାହୋଲ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।
ପୂଜା କମିଟିଗୁଡ଼ିକ ନିୟମ ମାନି ସ୍ୱଇଚ୍ଛିକ ଭାବେ ଚାନ୍ଦା ସଂଗ୍ରହ କରିବା ସହିତ ଆଇନଶୃଙ୍ଖଳା ପ୍ରତି ସଚେତନ ରହିବା ଆବଶ୍ୟକ। ଅନ୍ୟପକ୍ଷରେ, ଏଭଳି ଅଭିଯୋଗ ଉପରେ ପୋଲିସର ତତ୍ପରତାକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି।
ପୂଜାର ଆନନ୍ଦ ରହୁ, ଚାନ୍ଦା ସଂଗ୍ରହ ହେଉ—କିନ୍ତୁ ଜୋରଜବରଦସ୍ତି ନୁହେଁ। ଆଇନ ହାତକୁ ନେଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ—ତାଳଚେର ପୋଲିସର ଏହି ଘଟଣା ସେହି ବାର୍ତ୍ତା ଦେଇଛି। ରିପୋର୍ଟ ମନୋଜ ରାଉତ ତାଳଚେର
