ସାମାନ୍ୟ ପାନ ଖଣ୍ଡେ ପାଇଁ ଚାଲିଗଲା ମୂଲ୍ୟବାନ ଜୀବନ-ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା
ମୋରଡା 13/9-ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ବରକନ୍ଦ ପଞ୍ଚାୟତ ଅନ୍ତର୍ଗତ ଟିଆଁସି ଗ୍ରାମରେ। ସୂଚନାଯୋଗ୍ୟ ଟିଆଁସି ଗ୍ରାମର ଅନ୍ତ ନାଏକ(୬୨)ଙ୍କୁ ସେହି ଗ୍ରାମର ଧୀରେନ ନାଏକ(୩୭) ପ୍ରତିଦିନ ପାନ ମାଗି ଖାଉଥିବା ବେଳେ ପାନ ନଦେଲେ ଗାଳିଗୁଲଜ କରିବା ସହ ଧମକଚମକ ଦେଇ ଆସୁଥିଲା। ଗତ ଗୁରୁବାର ସନ୍ଧ୍ୟାରେ ଧୀରେନ ଅନ୍ତ ଘରକୁ ଯାଇ ପାନ ମାଗିବାରୁ ଅନ୍ତ ଦେବାକୁ ସିଧାସଳଖ ମନା କରିଦେଇଥିଲା। ଫଳରେ ଧୀରେନ ପାଟିତୁଣ୍ଡ କରିବା ସହ ରାଗରେ ଉତ୍ତେଜିତ ହୋଇ ଏକ ଲାଠିରେ ଅନ୍ତକୁ ମାଡ଼ ମାରିବାକୁ ଲାଗିଲା। ସେହି ସମୟରେ ଅନ୍ତ ନାଏକଙ୍କ ପତ୍ନୀ ବିଳାସୀ ନାଏକ (୫୭)ହସ୍ତକ୍ଷେପ କଲାରୁ ଧୀରେନ ଠେଙ୍ଗାରେ ବିଳାସୀଙ୍କୁ ପିଟିପିଟି ମୁଣ୍ଡ ଫଟେଇ ଦରମରା ଅବସ୍ଥାରେ ଛାଡ଼ି ପଳାଇଥିଲା। ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦୁହିଁଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ବିଳାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ତଙ୍କ ହାତ ଭାଙ୍ଗି ଯାଇଛି। ତେବେ ଏତେ ବଡ଼ ଘଟଣା କୁ ଗଣମାଧ୍ୟମ ଠାରୁ ଦୂରେଇ ରଖିଥିଲା ପୋଲିସ । ଅପରପକ୍ଷରେ ପୋଲିସ ଓ ପ୍ରେସ ଗ୍ରୁପ ଥିବା ସତ୍ତ୍ବେ ଘଟଣା କୁ ସାର୍ବଜନିକ ନକରିବା ପଛର କାରଣ କଣ ବୋଲି ଉଠିଛି ପ୍ରଶ୍ନ । ଅପରପକ୍ଷରେ ମୋରଡା ଥାନା ଅଧିକାରୀ ସୁମିତ କୁମାର ସୋରେନ ଘଟଣାର ତଦନ୍ତ ଭାର ନେଇଥିବା ବେଳେ ମୃତଦେହ ଜବତ ପୂର୍ବକ ଏନେଇ ମୋରଡା ଥାନାରେ ୩୫୬ ନଂ ରେ ହତ୍ୟା ଜନିତ ଏକ ମାମଲା ରୁଜୁ କରି ଆଜି ଶବ ବ୍ୟବଚ୍ଛେଦ କରାଇଥିଲେ। ସାଇନଟିଫିକ ଟିମ ଓ ପୁଲିସ ଘଟଣାସ୍ଥଳକୁ ଯାଇ ସର୍ଜମିନ ତଦନ୍ତ କରିଥିଲେ ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାକୁ ମଧ୍ୟ ଜବତ କରିଥିଲେ। ତେବେ ଏହି ଘଟଣାରେ ଜଡ଼ିତ ମୁଖ୍ୟ ଅଭିଯୁକ୍ତ ଧିରେନ ଏବେବି ଫେରାର ଥିବା ବେଳେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
