ତାଳଚେରରେ ଗଣେଶ ପୂଜା ପାଇଁ ଶେଷ ପର୍ଯ୍ୟାୟର ପ୍ରସ୍ତୁତି
ତାଳଚେର:୧୧/୯/(ନିପ୍ର) ଆଉ ମାତ୍ର ଦିନକ ପରେ ତାଳଚେରରେ ଆରମ୍ଭ ହେବ ଗଣପର୍ବ। ଏଥିପାଇଁ ସହରରେ ଏବେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ସହରର ପ୍ରାୟ ୩୫ଟି ପୂଜା ମଣ୍ଡପରେ ବିଘ୍ନରାଜ ଗଣେଶଙ୍କ ପୂଜା ଅନୁଷ୍ଠିତ ହେବ।
ଗଣେଶ ପୂଜାକୁ ନେଇ ବିଭିନ୍ନ ପୂଜା ମଣ୍ଡପରେ ସାଜସଜ୍ଜା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଣ୍ଡପ ସଜାସଜ୍ଜାଠାରୁ ଆରମ୍ଭ କରି ରାସ୍ତାଘାଟ, ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ପ୍ରଶାସନର ନଜର ରହିଛି।
ପୂଜା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପୋଲିସ ପ୍ରଶାସନ, କେନ୍ଦ୍ରୀୟ ଗଣେଶ ପୂଜା କମିଟି ଓ ସମ୍ପୃକ୍ତ ବିଭାଗଗୁଡ଼ିକ ସଜାଗ ରହିଛନ୍ତି। ବିଶେଷକରି ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ସମସ୍ୟା ଯେପରି ନ ଉପୁଜେ, ସେଥିପାଇଁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି କରାଯାଉଛି।
ତେବେ ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ଗଣେଶ ପୂଜା ପାଳନ କରିବାକୁ ତାଳଚେରବାସୀଙ୍କୁ ଆହ୍ୱାନ କରାଯାଇଛି
ତାଳଚେର ପ୍ରସ୍ତୁତ… ଏବେ ଅପେକ୍ଷା ଗଣପତି ବାପ୍ପାଙ୍କ ଆଗମନକୁ।
ତାଳଚେରରୁ ମନୋଜ ରାଉତଙ୍କ ରିପୋର୍ଟ
