ରାୟଗଡ଼ା: ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ଡଙ୍ଗରିଆ ଆଦିବାସୀ ନେତା ଲଦ ସିକକାଙ୍କ ପୁନଃଗିରଫକୁ ନେଇ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରରେ ତୀବ୍ର ପ୍ରତିବାଦ ଦେଖାଦେଇଛି।
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନିପ୍ର)
ଶୁକ୍ରବାର ନିୟମଗିରି ଅଞ୍ଚଳ ସମେତ ବିଷମକଟକ ଓ ମୁନିଗୁଡ଼ା ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ କଲ୍ୟାଣସିଂହପୁର ଥାନା ସମ୍ମୁଖରେ ଏକାଠି ହୋଇ ବିକ୍ଷୋଭ କରିଥିଲେ।
ଲଦ ସିକକା ନିୟମଗିରିର ଜଳ, ଜଙ୍ଗଲ ଓ ଜମି ସୁରକ୍ଷା ସହ ଅଞ୍ଚଳରେ ଶିଳ୍ପସ୍ଥାପନ ବିରୋଧୀ ଆନ୍ଦୋଳନରେ ସକ୍ରିୟ ଅଛନ୍ତି।
ଜାମିନ ପରେ ଘରକୁ ଫେରୁଥିବା ବେଳେ ଗିରଫ ଅଭିଯୋଗ
ସୂଚନା ଅନୁସାରେ, ଗୁରୁବାର ଏକ ମାମଲାରେ ଲାଞ୍ଜିଗଡ଼ କୋର୍ଟରୁ ଜାମିନ ପାଇବା ପରେ ଲଦ ସିକକା ଘରକୁ ଫେରୁଥିଲେ। ଏହି ସମୟରେ କଲ୍ୟାଣସିଂହପୁର ପୁଲିସ ତାଙ୍କୁ ପୁଣି ଗିରଫ କରିଥିବା ଅଭିଯୋଗ ହୋଇଛି।
ତାଙ୍କୁ କେଉଁଠାରେ ରଖାଯାଇଛି ଏବଂ କେଉଁ ମାମଲାରେ ଗିରଫ କରାଯାଇଛି, ସେନେଇ ପୁଲିସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନଥିବା ବିକ୍ଷୋଭକାରୀମାନେ ଅଭିଯୋଗ କରିଥିଲେ।
ପୁଲିସର ଭିନ୍ନ ମତ
ଅନ୍ୟପକ୍ଷରେ, ରାୟଗଡ଼ା ଏସ୍ଡିପିଓ ଗୌରହରି ସାହୁ କହିଛନ୍ତି ଯେ ଲଦ ସିକକାଙ୍କ ନାମରେ ୨୦୧୭ ଓ ୨୦୧୯ ମସିହାରୁ ଥାନାରେ ୱାରେଣ୍ଟ ରହିଥିଲା। କୋର୍ଟଙ୍କ ଆଦେଶ ଅନୁସାରେ ତାଙ୍କୁ ଗିରଫ କରାଯାଇ ରାୟଗଡ଼ା କୋର୍ଟରେ ହାଜର କରାଯାଇଥିବା ସେ ସୂଚନା ଦେଇଛନ୍ତି।
ଲଦ ସିକକାଙ୍କ ଗିରଫକୁ ନେଇ ଆଦିବାସୀ ସଂଗଠନ ଓ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ବେଳେ ଅଞ୍ଚଳରେ ଆଇନଶୃଙ୍ଖଳା ଦୃଷ୍ଟିରୁ ପୁଲିସ ନଜର ରଖିଛି।
