ଭୁବନେଶ୍ୱର: ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ରେ ଆର୍ଥିକଅନିୟମିତତା ଅଭିଯୋଗ :
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନିପ୍ର)
ଭୁବନେଶ୍ୱର: ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ରେ ଆର୍ଥିକ ଅନିୟମିତତା ଓ ସରକାରୀ ଅର୍ଥର ଅପବ୍ୟବହାର ନେଇ ଆସିଥିବା ଅଭିଯୋଗକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଏହି ମାମଲାର ସମସ୍ତ ଦିଗରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ମାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ଅଭିଯୋଗର ଗୁରୁତ୍ୱ ଦୃଷ୍ଟିରେ ନିର୍ମାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯିବ।
ଦାୟୀ ଅଧିକାରୀଙ୍କ ଭୂମିକା ନିର୍ଦ୍ଧାରଣ ହେବ
ତଦନ୍ତରେ ଆର୍ଥିକ ଅନିୟମିତତା ସମ୍ପର୍କିତ ସମସ୍ତ ତଥ୍ୟ ଯାଞ୍ଚ କରାଯିବ। ଯଦି କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ଦାୟିତ୍ୱ ପ୍ରମାଣିତ ହୁଏ, ତେବେ ତାଙ୍କ ଭୂମିକା ଓ ଦାୟିତ୍ୱ ସ୍ପଷ୍ଟ କରି ରିପୋର୍ଟରେ ଉଲ୍ଲେଖ କରାଯିବ।
ଏଥିସହ ଭବିଷ୍ୟତରେ ଏଭଳି ଅନିୟମିତତା ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ମଧ୍ୟ ସୁପାରିଶ ଦେବାକୁ ତଦନ୍ତକାରୀ ଅଧିକାରୀଙ୍କୁ କୁହାଯାଇଛି।
ଅଡିଟ୍ ହୋଇନଥିବା ହିସାବ ଯାଞ୍ଚ ନିର୍ଦ୍ଦେଶ
ଏହି ଘଟଣା ପରେ ନିର୍ମାଣ ବିଭାଗର ସମସ୍ତ ଡିଭିଜନ୍ର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଅଡିଟ୍ ହୋଇନଥିବା ହିସାବ ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ସମ୍ପୃକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଦ୍ୱାରା ପ୍ରତିସ୍ୱାକ୍ଷରିତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
ସରକାର ଏହି ମାମଲାକୁ ଜରୁରୀ ଭାବେ ଗ୍ରହଣ କରିଥିବା ବେଳେ ତଦନ୍ତ ରିପୋର୍ଟ ଶୀଘ୍ର ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ୍ଷଣ ଯନ୍ତ୍ରୀଙ୍କ ବଦଳି
ଏହି ଘଟଣାକ୍ରମରେ ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ରେ କାର୍ଯ୍ୟରତ ଅଧିକ୍ଷଣ ଯନ୍ତ୍ରୀଙ୍କୁ ସେଠାରୁ ଅପସାରଣ କରାଯାଇଛି। ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଥିବା ନେଇ ନିର୍ମାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
