*ଢେଙ୍କାନାଳରେ ପାର୍ବଣ ମାସକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ବିଭାଗର ଜୋରଦାର ଚଢ଼ାଉହୋଇଛି l* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଢେଙ୍କାନାଳ, ତା -୧୧ ସେପ୍ଟେମ୍ବର ପବିତ୍ର ଗଣେଶ ପୂଜାକୁ ଦୃଷ୍ଟିରେ ରଖି ଖାଦ୍ୟର ମାନ ଓ ସୁରକ୍ଷା ସୁନିଶ୍ଚିତ କରିବା ତଥା ଜନସାଧାରଣଙ୍କୁ ନିରାପଦ ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ ଆଜି ଢେଙ୍କାନାଳ ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଖାଦ୍ୟ ସୁରକ୍ଷା ଯାଞ୍ଚ କରାଯାଇଛି।ଏହି ସ୍ୱତନ୍ତ୍ର ଅଭିଯାନରେ ସହରର ବିଭିନ୍ନ ମିଠା ଦୋକାନ, ହୋଟେଲ, ଫାଷ୍ଟଫୁଡ୍ କେନ୍ଦ୍ର ଏବଂ ଫଳ ଗୋଦାମ ସମେତ ମୋଟ ୧୩ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇ ଯାଞ୍ଚ କରାଯାଇଥିଲା। ଏଥିରୁ ୨୪୦ କିଲୋଗ୍ରାମ ବାସି ଓ ମିଆଦ ପୂରିଯାଇଥିବା ଖାଦ୍ୟ ତଥା ୩୪ ଲିଟର ବ୍ୟବହୃତ ତେଲ ନଷ୍ଟ କରାଯାଇଛି,୧.୭୭ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି l
ଯାଞ୍ଚ ସମୟରେ ପ୍ରାୟ ୨୪୦ କିଲୋଗ୍ରାମ ବାସି ତଥା ମିଆଦ ପୂରିଯାଇଥିବା (Expired) ଖାଦ୍ୟ ସାମଗ୍ରୀ ଏବଂ ବାରମ୍ବାର ରନ୍ଧା କାର୍ଯ୍ୟରେ ବ୍ୟବହୃତ ୩୪ ଲିଟର ପୋଡ଼ା ତେଲକୁ ଘଟଣାସ୍ଥଳରେ ହିଁ ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି। ୧.୭୭ ଲକ୍ଷ ଟଙ୍କା ଜରିମାନା: ପ୍ରତିଷ୍ଠାନଗୁଡ଼ିକରେ ଅସ୍ୱାସ୍ଥ୍ୟକର ପରିବେଶ, ପାନୀୟ ଜଳ ଓ ଖାଦ୍ୟ ସାମଗ୍ରୀର ଅସୁରକ୍ଷିତ ସଂରକ୍ଷଣ ତଥା ଫଳ ଗୋଦାମରେ କ୍ଷତିକାରକ କାର୍ବାଇଡ୍ (Carbide) ବ୍ୟବହାର କରିବା ଅଭିଯୋଗରେ ଖିଲାପକାରୀଙ୍କ ଠାରୁ ସର୍ବମୋଟ ୧,୭୭,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଖାଦ୍ୟ ସାମଗ୍ରୀର ୧୧ଟି ନମୁନା ସଂଗ୍ରହ କରାଯାଇ ଲାବ୍ରୋଟୋରୀ ବିଶ୍ଳେଷଣ ପାଇଁ ପଠାଯାଇଛି। ପାର୍ବଣ ଋତୁରେ ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳବାଡ଼ କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଆଗାମୀ ଦିନରେ ଏହିପରି କଠୋର ଯାଞ୍ଚ ଅଭିଯାନ ନିରନ୍ତର ଜାରି ରହିବ ବୋଲି ପ୍ରଶାସନ ତରଫରୁ ଚେତାବନୀ ଦିଆଯାଇଛି। ସମସ୍ତ ବ୍ୟବସାୟୀ ସ୍ୱଚ୍ଛତା ରକ୍ଷା କରିବା ସହ ଖାଦ୍ୟ ସୁରକ୍ଷା ନିୟମାବଳୀର କଡ଼ାକଡ଼ି ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମିଳିତ ଚଢ଼ାଉରେ ଉପଜିଲ୍ଲାପାଳ ଶ୍ରୀ ପଦ୍ମ ଚରଣ ସାହୁ, ଖାଦ୍ୟ ସୁରକ୍ଷା ଅଧିକାରୀ ଏମ. ସ୍ଵାଗତିକା, ପୁଲିସ ଟିମ୍, ଢେଙ୍କାନାଳ ପୌରପାଳିକାର ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍,ଏବଂ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍ ସାମିଲ ହୋଇଥିଲେ।
