ସଂରକ୍ଷିତ ଜଙ୍ଗଲ ଜମିରେ ବୃକ୍ଷରୋପଣ ପାଇଁ ଆସି ନିରାଶାରେ ଫେରିଲେ ବନବିଭାଗ
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ୧୪୯ ନମ୍ବର ଜାତୀୟ ରାଜପଥ ଠାରୁ ନୂଆ ସୂର୍ଯ୍ୟ ହୋଟେଲ କୁ ରାସ୍ତା ଟି ସଂରକ୍ଷିତ ଜଙ୍ଗଲ ହୋଇଥିବାରୁ ସେଥିରେ ବୃକ୍ଷ ରୋପଣ ଏବଂ ସୁରକ୍ଷା ଦେବା କୁ ଆସି ନିରାଶ ହୋଇ ବନ ଅଧିକାରୀ ଫେରିବା ଘଟଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୋଗ ମୁତାବକ ଢେଙ୍କାନାଳ ବନଖଣ୍ଡ ମହାବିରୋଡ ବନାଞ୍ଚଳ ଡିହଡୋଳ ସେକ୍ସନର ଖାଲପାଳ ସଂରକ୍ଷିତ ଜଙ୍ଗଲ ତଥା ରାଜପଥ ଠାରୁ ନୂଆ ସୂର୍ଯ୍ୟ ହୋଟେଲ ପର୍ଯ୍ୟନ୍ତ ସଂରକ୍ଷିତ ଜଙ୍ଗଲ ଜମି ରହିଛି। ଏହାକୁ କିଛି ବର୍ଷ ହେବ ପରମହଂସପୁର ଗ୍ରାମର ପ୍ରଭାବଶାଳୀ ବ୍ୟକ୍ତି ରାସ୍ତା ନିର୍ମାଣ କରି ଦୈନନ୍ଦିନ ହୋଟେଲ କୁ ଶତାଧିକ ଭାରିଯାନ ଚଳାଚଳ କରୁଥିବା ବେଳେ ଏହାକୁ ନେଇ ଜାତୀୟ ସବୁଜ ପ୍ରାଧିକରଣ ନିକଟରେ ମାମଲା ରୁଜୁ ହୋଇଥିଲା। ସଂରକ୍ଷିତ ଜଙ୍ଗଲ ଜମିରୁ ରାସ୍ତା ଉଚ୍ଛେଦ କରାଯାଇ ବୃକ୍ଷ ରୋପଣ ନିମନ୍ତେ ମାନ୍ୟବର ଏନଜିଟି ଏକ ବର୍ଷ ହେବ ରାୟ ପ୍ରକାଶ କରିଥିଲେ। କାର୍ଯ୍ୟାନୁଷ୍ଠାନ ନେବାକୁ ବିଳମ୍ବ ହେବାରୁ ପୁନର୍ବାର ଏନଜିଟିଙ୍କ ନିକଟରେ ଅଭିଯୋଗକାରୀ ଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଥିବା ବେଳେ ୪ ଅଗଷ୍ଟ ରେ ଶୁଣାଣୀ କରି ମାନ୍ୟବର ଏନଜିଟି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଢେଙ୍କାନାଳ ଜିଲାପାଳ, ବନଖଣ୍ଡ ଅଧିକାରୀ, ଆରକ୍ଷୀ ଅଧିକ୍ଷକ ଓ ପରଜଙ୍ଗ ତହସିଲଦାର ଙ୍କ ମାସିକ ବେତନ ଏବଂ ସମ୍ପତ୍ତି ବାଜ୍ୟାପ୍ତ ହେବନାହିଁ କାହିଁକି ବୋଲି ଆଗାମୀ ଶୁଣାଣି ଥିବା ଧାର୍ଯ୍ୟ ଦିବସ ଏକ ଦିନ ପୂର୍ବରୁ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନଜିଟିଙ୍କ ଶୁଣାଣୀ କୁ ଦୃଷ୍ଟିରେ ରଖି ସଂରକ୍ଷିତ ଜଙ୍ଗଲ ଜମିରେ ଥିବା ରାସ୍ତାର ଉଭୟ ପାର୍ଶ୍ବରେ ବନବିଭାଗ ବୃକ୍ଷ ରୋପଣ କରିଥିବା ବେଳେ ରାସ୍ତାକୁ ବନ୍ଦ କରାଯିବା ନିମନ୍ତେ ଗୁରୁବାର ଢେଙ୍କାନାଳ ଡିଭିଜନର ବନ ସଂରକ୍ଷକ ସହାୟକ ଅଧିକାରୀ ନିଳେନ୍ଦ୍ରୀ ଦଳପତି ଙ୍କ ନେତୃତ୍ବରେ ବନ ସୁରକ୍ଷା କର୍ମୀଙ୍କ ସଦଳବଳେ ନୂଆ ସୂର୍ଯ୍ୟ ହୋଟେଲ ନିକଟରେ ପହଞ୍ଚି କ୍ଷେତ୍ର ପରିଦର୍ଶନ କରିବା ପରେ କିଛି ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପୁନଃ ଫେରସ୍ତ କରିଥିଲେ। ଏହିପରି ଭାବେ ଦୁଇ ଦୁଇ ଥର ସଂରକ୍ଷିତ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ପାଇଁ ବିଭାଗୀୟ ଅଧିକାରୀ ଆସି ନିରାଶ ରେ ଫେରୁଥିବା ଅଞ୍ଚଳବାସୀଙ୍କ ମନେ ଯେପରିକି ଜବରଦଖଲକାରୀଙ୍କ ସହ ବନବିଭାଗ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସଫାସୁତୁରା ହେଉଥିବା ନେଇ ଆଲୋଚନ ଜୋର ଧରିଛି। ଏହି ସଂକ୍ରାନ୍ତରେ ସହାୟକ ସଂରକ୍ଷକ ବନାଧିକାରୀ ଶ୍ରୀ ଦଳପତି କୁହନ୍ତି କି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଅଧିକାରୀ ଙ୍କ ନିର୍ଦ୍ଦେଶକ୍ରମେ କିସମ ପରିବର୍ତ୍ତନ ପାଇଁ ସମୟ ଦିଆଯାଇଛି ନହେଲେ ଆଗାମୀ ଦିନରେ ଜବରଦଖଲ ଉଚ୍ଛେଦ କରାଯିବ । ଏଥିପ୍ରତି ରାଜ୍ୟ ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।
